Unknown

ନୀଳଚନ୍ଦ୍ରର ଉପତ୍ୟକା

ଶ୍ରୀ ବିନୋଦ ଚନ୍ଦ୍ର ନାୟକ

 

ଭୂମିକା

ଏଗାର ବର୍ଷ ତଳେ………………..

ବିନୋଦ ନାୟକ ଓ ମୁଁ ଥିଲୁ ସତୀର୍ଥ ।

ଓଡ଼ିଆ କବିତା, ସେତେବେଳକୁ ସବୁଜ ଯୁଗର ଧୂସର ସୀମାନ୍ତର ଅସନ୍ନ ଅନ୍ଧକାର ମଧ୍ୟରେ ନୂତନ ପଥ ଓ ପାଥେୟର ସନ୍ଧାନ କରୁଥାଏ ।

 

ଜୁଲାଇ କି ଅଗଷ୍ଟର ଗୋଟିଏ ବର୍ଷଣକ୍ଳାନ୍ତ ଗୋଧୂଳି । ପଶ୍ଚିମର ଆକାଶରେ, ରକ୍ତର ସମୁଦ୍ରରେ ଯେପରି ଜୁଆର ଆସିଛି । ରେଳଲାଇନ କଡ଼େ କଡ଼େ ଆମେ ଦୁହେଁ ଚାଲିଛୁ, ବିନୋଦ ନାୟକ ଓ ମୁଁ । ଷ୍ଟେସନୟାର୍ଡ଼ରୁ ଶୁଭୁଛି ଗୋଟିଏ ପଥଶ୍ରାନ୍ତ ଇଞ୍ଜିନ୍‍ର କ୍ଳାନ୍ତ ହା-ହୁତାଶ । ଲାଇନ୍ ଉପରେ ଲାଲପତାକା ବନ୍ଧା ଗୋଟିଏ ପରିତ୍ୟକ୍ତ ଟ୍ରଲୀ ଦେଖି, ବିନୋଦବାବୁ ତାଉପରେ ବସିପଡ଼ିଲେ । ମୁଁ ଟ୍ରଲିଟା ଠେଲିବା ପାଇଁ ଚେଷ୍ଟା କରୁଥିଲି, ଅହେତୁକୀ ଉତ୍ସାହରେ। କିନ୍ତୁ କେତେଜଣ ତୈଲଙ୍ଗ ଲାଇନ୍ କୁଲୀଙ୍କୁ ଦେଖି, ବିନୋଦ ନାୟକ ତଳକୁ ଖପ୍‍କରି ଡେଇଁପଡ଼ିଲେ । ମୁଁ ପକେଟରୁ ବାହାରକଲି ପେଡ଼ା ଆଉ ଚୀନାବାଦାମର ଠୁଙ୍ଗା । ବିନୋଦବାବୁ ଦୀର୍ଘଶ୍ଵାସ ପକାଇ, ପକେଟରୁ ବାହାରକଲେ ଖଣ୍ତେ ନୂଆ କବିତାର ପାଣ୍ତୁଲିପି… ‘ସେଲିମ୍‍ର ସ୍ଵପ୍ନ’ । ବିନୋଦ ନାୟକଙ୍କର ବହୁ କବିତାର ପ୍ରଥମ ଶ୍ରୋତା ମୁଁ, ଆଉ କଟକ ଷ୍ଟେସନ୍‌ର ସିଗ୍‌ନାଲ ପୋଷ୍ଟ୍ ବାହାରେ ନିର୍ଜନ ରେଳଲାଇନ୍ ଓ ଟେଲିଗ୍ରାଫ୍ ଖୁଣ୍ଟ ! ହୃଦୟଦେଇ ଯାହାସହିତ ପରିଚୟ, ମସ୍ତିଷ୍କଦେଇ ତାର ବିଚାର ହୁଏନା । ଆଜି ବିନୋଦ ନାୟକଙ୍କର ‘ନୀଳଚନ୍ଦ୍ରର ଉପତ୍ୟକା’ ରେ ସନ୍ନିବିଷ୍ଟ କବିତାଗୁଡ଼ିକର ଭୂମିକା ଲେଖିଲାବେଳେ, ସେଇଆ ମନେହେଉଛି ।

 

ଇଂରେଜୀ କବିତାରେ ସେତେବେଳକୁ ସ୍ପେଣ୍ତର୍, ଅଡ଼େନ୍, ଲୁଇମାକ୍‌ନିସ୍ ଓ ଡେ’ଲୁଇସ୍ ପ୍ରମୁଖଙ୍କର ଯୁଗ । ‘ଲେଫ୍‌ଟ୍ ରିଭିଉ’କୁ କେନ୍ଦ୍ରକରି, ଇଂରାଜୀ ସାହିତ୍ୟରେ ସେତେବେଳକୁ ନୂତନ କବିତାର ଅନ୍ନପ୍ରାସନ ସରିଥାଏ । ବିଚିତ୍ର ସେ କବିତା…ଆଇନ୍‍ଷ୍ଟାଇନ୍ ଓ ଫ୍ରୟେଡ଼୍, ହୋମାର୍ ଲେନ୍ ଓ ଡ୍ରାଇଡ଼େନ୍, କୁଲୀବସ୍ତୀ ଓ କମ୍ୟୁନିଜ୍‌ମ୍, ସବୁ ମିଶି ସେ ଏକ ଅଦ୍‌ଭୁତ ସୃଷ୍ଟି ।

 

କ୍ଷୟଶୀଳ, ପରମ୍ପରାପୀଡ଼ିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ, ବର୍ତ୍ତମାନର ରୁଦ୍ଧକାରା ମଧ୍ୟରେ ମୁକ୍ତିର ଏକ ବିରାଟ ଅଭୀପ୍‌ସା…ସ୍ପେଣ୍ତର୍ ଓ ଅଡ଼େନ୍ ପ୍ରମୁଖ କବିମାନଙ୍କର କାବ୍ୟସୃଷ୍ଟିର ମୂଳ ପ୍ରେରଣା । ସବୁ ପ୍ରଥା, ପରମ୍ପରା ଓ ବନ୍ଧନ ପାଦରେ ଦଳି ସମଗ୍ର ୟୁରୋପୀୟ ସାହିତ୍ୟରେ ଆସିଥିଲା ଏହି ନୂତନ କବିତାର ପ୍ଳାବନ । ଫରାସୀ କବି ଲୁଇ ଆରାଗନ୍‌ଙ୍କର କବିତାର ଗୋଟିଏ ପାଦ, ଏଠାରେ ତାର ନମୂନା ସ୍ଵରୂପ ଉଲ୍ଲେଖ କରାଯାଇପାରେ :

The Red train starts and nothing shall stop it

UR

S S

UR

S S

UR

S S

ଆଧୁନିକ ଭାରତୀୟ କବିମାନେ, ବିଂଶ ଶତାଦ୍ଦୀର ତୃତୀୟ ଦଶକରେ, ୟୁରୋପୀୟ କବିମାନଙ୍କ ଦ୍ଵାରା, ଭାବରେ ଓ ଶୈଳୀରେ ବହୁ ପରିମାଣରେ ପ୍ରଭାବିତ ହୋଇଅଛନ୍ତି । ମାତ୍ର ଭାରତ ସେତେବେଳେ ଥିଲା ପରାଧୀନ । ପରାଧୀନତାର ଶୃଙ୍ଖଳ ଓ କଟକଣା ଭିତରେ ମୁକ୍ତିର ଆକୂତି ଓ ବିଦ୍ରୋହର ଆବେଦନ, ଆଧୁନିକ ଭାରତୀୟ କବିତାରେ, ସେତେ ସୁସ୍ପଷ୍ଟ ହେବା ସମ୍ଭବ ନଥିଲା । ତେଣୁ ଆଧୁନିକ ଭାରତୀୟ କବିତାରେ ଭାବଠାରୁ ଶୈଳୀରେ ସମସାମୟିକ ୟୁରୋପୀୟ କବିତାର ପ୍ରଭାବ ଥିଲା ବେଶୀ ସୁଷ୍ପଷ୍ଟ ।

 

ସଂଗ୍ରାମ ଓ ପଳାୟନ, ଦୁଇ ମୁଦ୍ରାର ଦୁଇଟି ପାଖ । ଯେ ବିପ୍ଳବୀ, ସେ ମଧ୍ୟ ପଳାୟନପନ୍ଥୀ । ବିଂଶ ଶତାଦ୍ଦୀର ତୃତୀୟ ଦଶକର କବିତାରେ ଏହି ପଳାୟନବାଦ ଥିଲା, ପ୍ରଧାନ ଆଭିମୁଖ୍ୟ । ଏ ପଳାୟନବାଦ କିନ୍ତୁ ରୋମାଣ୍ଟିକ ଯୁଗର ପଳାୟନବାଦଠାରୁ ସ୍ଵତନ୍ତ୍ର । ରୋମାଣ୍ଟିକ ଯୁଗର ପଳାୟନବାଦ ଏକ ମାନସିକ ବିଳାସ, କିନ୍ତୁ ଆଲୋଚିତ ଯୁଗର ପଳାୟନବାଦ ଏକ ପ୍ରୟୋଜନ । ବିନୋଦ ନାୟକଙ୍କର କବିତାର ଏହାହିଁ ସାହିତ୍ୟିକ ପୃଷ୍ଠଭୂମି ଓ ପରିବେଶ । ଜୀବନର ନାନା କ୍ଳେଦାନ୍ତ ଅନୁଭୂତି ଓ ଦୁନିର୍ବାର ମୁକ୍ତିର ଆକୃତି ବିନୋଦ ନାୟକଙ୍କ କବିତାର ଆଙ୍ଗିକରେ ଆଣିଛି ସୁଦୂରତା ଓ ବ୍ୟାପକତାର ଇଙ୍ଗିତ । ପରାଧୀନ ପ୍ରପୀଡ଼ିତ ପରିବେଷ୍ଟନୀର କାରାପ୍ରାଚୀର ଲଙ୍ଘି ତାଙ୍କର ଅତ୍ୟାଚାରିତ ଆତ୍ମା ଶାନ୍ତି ପାଇଛି ମାଡ଼ାଗାସ୍କାରର ବର୍ଷାଭିଜା ଲବଙ୍ଗ କ୍ଷେତରେ, ଅଷ୍ଟ୍ରେଲିଆର ନାଗଫେଣୀ ଓ ଅପମାର୍ଗ କଣ୍ଟକିତ ମରୁପ୍ରାନ୍ତରରେ, ସୁମେରୁର ଏସ୍କିମୋ କୁଟୀରରେ, ବା ଯାଜାବର ବେଦୁଇନ୍‌ର ଦେଶରେ । ବିନୋଦ ନାୟକଙ୍କ କବିତା, ଯଥାର୍ଥରେ ସୁଦୂରର ସଙ୍ଗୀତ ! ଯାହା ନିକଟରେ, ଯାହା ଦୁଇହାତରେ ପାଇବାର ସୀମା ଭିତରେ, ଯାହା ସୁଲଭ୍ୟ ସେସବୁ ଅତି ମାମୁଲି, ଅତି ଦୈନନ୍ଦିନ, ଅତି ରଙ୍ଗଛଡ଼ା । ତେଣୁ ଦେଶ, କାଳ, ପାତ୍ରର ସଂକୀର୍ଣ୍ଣ ସୀମା ଛାଡ଼ି ବିନୋଦ ନାୟକଙ୍କ କବିତା କରିଛି ନୂତନ ଜାତି ଓ ନୂତନ ପ୍ରକୃତିର ସନ୍ଧାନ ।

 

ପ୍ରସଙ୍ଗାଧୀନ ଭାବରେ ଏଠାରେ ଉଲ୍ଲେଖ କରାଯାଇପାରେ ସୁଦୂରର ଇଙ୍ଗିତ, ଆଧୁନିକ କବିତାର ଗୋଟିଏ ବିଶେଷ ଆଙ୍ଗିକ । ଉଦାହରଣ ସ୍ଵରୂପ ଟି. ଏସ୍. ଏଲିୟଟ୍‌ଙ୍କର “Wasteland” ରେ

 

Ganga was sunken and the limp leaves

Waited for rain, while the black clouds

Gathered distant over Himavant.

 

ଆଧୁନିକ ଯୁଗରେ ଅନ୍ୟତମ ପ୍ରସିଦ୍ଧ କବି ଏଜରା ପାଉଣ୍ତଙ୍କଠାରେ ସୁଦୂରର ମୋହ ଏତେ ପ୍ରବଳ ଯେ, ବହୁ ଚୈନିକ ଓ ବିଦେଶୀ ଶବ୍ଦ ସମ୍ଭାରରେ, ତାଙ୍କର କବିତାଗୁଡ଼ିକ ପ୍ରାୟ ଦୁର୍ବେଧ୍ୟ । ଆଧୁନିକ ବଙ୍ଗଳା କବିତା ମଧ୍ୟ ଏ ପ୍ରଭାବରୁ ମୁକ୍ତ ନୁହେଁ । ଉଦାହରଣ ସ୍ଵରୂପ ଜୀବନାନନ୍ଦ ଦାଶଙ୍କ ‘ବନଲତା ସେନ’ କବିତା…

 

“ଚୁଲ୍ ତାର କବେକାର ଅନ୍ଧକାର ବିଦିଶାର ନିଶା,

ମୁଖ୍ ତାର ଶ୍ରାବନ୍ତୀର କାରୁକାର୍ଯ୍ୟ,”

 

ବିନୋଦ ନାୟକଙ୍କର କବିତାରେ ରୋମାଣ୍ଟିସିଜ୍‌ମ ସହିତ ବାସ୍ତବତା ସ୍ଵୀକୃତି ସମ୍ମିଶ୍ରିତ ଥିବାରୁ ଆଙ୍ଗିକ, ଶବ୍ଦ ପ୍ରୟୋଗ ଓ ପ୍ରକାଶ ଭଙ୍ଗୀରେ-ଅତୀତର ସମସ୍ତ ପରମ୍ପରା ଛିନ୍ନ ହୋଇଯାଇଛି । ତାଙ୍କର ନୂତନ ଶବ୍ଦ ପ୍ରୟୋଗ, ତନ ଉପମା ଓ ଉତ୍‌ପ୍ରେକ୍ଷା ଇତ୍ୟାଦି ଅଳଙ୍କାରର ଚିରାଚରିତ ପ୍ରଥା ବିରୁଦ୍ଧରେ ଏକ ବିପ୍ଳବ, ସନ୍ଦେହ ନାହିଁ । ଏଥିରେ ସନ୍ନିବିଷ୍ଟ କବିତାଗୁଡିକରେ ତାର ବହୁ ଉଦାହରଣ ମିଳିବ ।

 

ଆଧୁନିକ ଓଡ଼ିଆ କବିତାରେ ମୁକ୍ତଛନ୍ଦର ପ୍ରଚଳନ ବିନୋଦ ନାୟକଙ୍କ ଏକ ଉଜ୍ଜ୍ଵଳ କୃତିତ୍ଵ-। ସଚ୍ଚି ରାଉତରା ପ୍ରଥମେ ସାହିତ୍ୟରେ ଗଦ୍ୟ କବିତାର ପ୍ରବର୍ତ୍ତନ କରିଥିଲେ । ମାତ୍ର ଭଞ୍ଜ-ବିକାରଗ୍ରସ୍ତ ସମାଲୋଚକମାନଙ୍କ ମହଲରେ ତାର ଲୋକପ୍ରିୟତାର ଅଭାବ ଉପଲବ୍ଧି କରି ବିନୋଦ ନାୟକ ମୁକ୍ତକବିତାର ପ୍ରଚଳନ କଲେ । ମାଇକେଲଙ୍କର ଅମିତ୍ରାକ୍ଷର ଛନ୍ଦରେ ରଚିତ ‘ମେଘନାଦ ବାଧ’ ବା ରାଧାନାଥଙ୍କ ‘ମହାଯାତ୍ରା’ ନିୟମିତ ମୁକ୍ତ କବିତା । କିନ୍ତୁ ଅନିୟମିତ ମୁକ୍ତ କବିତାର ଦୃଷ୍ଟାନ୍ତ ‘ଅଷ୍ଟ୍ରେଲିଆ’ ମୁକ୍ତ କବିତାର ଛନ୍ଦ, ଅକ୍ଷର ବୃତ୍ତ, ମାତ୍ରାବୃତ୍ତ ଓ ଧ୍ଵନିବୃତ୍ତ ରୂପରେ ତ୍ରିବିଧ । ସମାଲୋଚିତ କବିତା ପୁସ୍ତକରେ ତାର ଉଦାହରଣ ମିଳିବ । ସାବଲୀଳ ଭାଷା ଓ ଛନ୍ଦରେ, ରସଘନ, ଆବେଗପୂର୍ଣ୍ଣ ଅଭିବ୍ୟକ୍ତିରେ ବିନୋଦ ନାୟକଙ୍କ କବିତା-କବିତା ହିସାବରେ ସାର୍ଥକ । ଏପର୍ଯ୍ୟନ୍ତ ତାଙ୍କର ବହୁ କବିତା, ବହୁ ପତ୍ର ପତ୍ରିକାରେ ପ୍ରକାଶ ପାଇଥିଲେ ସୁଦ୍ଧା, ପୁସ୍ତକାକାରରେ ପ୍ରକାଶିତ ହୋଇନଥିଲା । “ଲେଖା ଓ ଲେଖକ”ର ଆନୁକୂଲ୍ୟରେ ଆଜି ତାଙ୍କର ‘ନୀଳଚନ୍ଦ୍ରର ଉପତ୍ୟକା’ର ପ୍ରକାଶ ସମାଲୋଚକ ଓ ସାହିତ୍ୟ ରସିକମାନଙ୍କ ପକ୍ଷରେ ଏକ ସୁସମ୍ଵାଦ, ସନ୍ଦେହ ନାହିଁ ।

 

‘ଜନତା’ ଅଫିସ

ସୁରେନ୍ଦ୍ର ମହାନ୍ତି

ଓଡ଼ିଶା ଜର୍ଣ୍ଣାଲ୍‌ସ୍‌ ପ୍ରେସ      

 

କଟକ

 

୯ ଜୁନ୍’ ୫୧

 

 

ନୀଳଚନ୍ଦ୍ରର ଉପତ୍ୟକା

।୧।

ଅବଲୁପ୍ତ ଶତାବ୍ଦୀର ଏକ ହେମନ୍ତର ଗଭୀର ନିଶାରେ

କକ୍ଷଭ୍ରଷ୍ଟ ତାରକାର ଅବନୀଳିମ ଆଲୋକ କଣା

ଝରିପଡ଼ି

ନାଙ୍ଗାପର୍ବତର ଶୀର୍ଷଶିଖେ

ପାତି ଦେଉଥିଲା ତୁଷାରର ଶୁଭ୍ର ଆସ୍ତରଣ

ତଳେ

ଆଉ ତଳେ

ଇଉକେଲିପଟସ୍‌ର

ଘନୀଭୂତ ଛାୟା………….

ତାର ତଳେ ଜନହୀନ ଉପତ୍ୟକା

ଜନହୀନ………..ବିସ୍ତୀର୍ଣ୍ଣ ତୁ-ଷା-ର

ତାର ତଳେ ରାଜେ

ଚନ୍ଦ୍ରର ସମାଧି ସ୍ତୂପ

ଚତୁର୍ଦ୍ଦିଗେ ନିସ୍ତବ୍‌ଧ ଗମ୍ଭୀର

 

 

।୨।

ଏଇ

ଉପତ୍ୟକା ବନ ତଳେ…

ଦୂରେ ଶୀର୍ଣ୍ଣ ନଦୀର ପୁଳିନେ

ଏକାକିନୀ ଥିଲା ରହି

ଆଦିମକାଳରୁ ପ୍ରେତିନୀ-ପିଶାଚୀ

ତିବ୍ଦତୀୟ ଏକ ଯାଦୁକର କାଉଁରୀକାଠିର ଇଙ୍ଗିତରେ

ସୃଜୁଥିଲା ମାୟାବିନୀ ଯାଦୁକରୀ ମାୟା,

ଭାଦ୍ରର ଶସ୍ୟ ଆକାଶୁ ନେଉଥିଲା ଟାଣି

ବର୍ଷଣ ଉନ୍ମୁଖ ମେଘ…

ବଧୂପରି ପୁଷ୍ଟ ବକ୍ଷ ରତି ଶୟନରୁ

ଅସମାପ୍ତ ରଖି ନଗ୍ନ ଦେହକ୍ଷୁଧା

………..ହରି ନେଉଥିଲା ଯୁବକରେ ।

ତାର ପରେ

ତାର ପରେ ବୁଲି କେତେ ଦେଶାନ୍ତର ଦେଶ

କେତେ ଜୀର୍ଣ୍ଣ ସେତୁ କେତେ ତ୍ୟକ୍ତ ଅନ୍ତରୀପ

କେତେ ଭଗ୍ନ ଦେବାଳୟ ଲତାକୀର୍ଣ୍ଣ ଦୁର୍ଗ

ଅସନ୍ତୁଷ୍ଟା ରଚିଥିଲା ବସ୍ତି ତାର

ନାଙ୍ଗା ପର୍ବତର ପରିତ୍ୟକ୍ତ

ଉପତ୍ୟକା ତଳେ ।

।୩।

ତାର ପରେ

ଏକ ପୂର୍ଣ୍ଣିମାର ନିଶାକାଳେ

ଏଇ ଉପତ୍ୟକା ଶିରେ ମେଘଲୋକୁ ଅବତରି

ଚନ୍ଦ୍ର ଥରେ ନେଉଥିଲେ ଅବସର ।

ସେଇଦିନ ପିଶାଚୁଣି

ପାତି ତାର ଯାଦୁକରୀ ଫାଶ

ସାଜିଥିଲା ଅପ୍‌ସରାର ବେଶ ।

ପଥଭ୍ରଷ୍ଟ କିନ୍ନରୀର ସମ ଗାଉଥିଲା ନିର୍ଜନର ଗୀତ ।

ରତିନଗ୍ନ ବାଳା ସମ ଯାଉଥିଲା ଫଟି

କଟିତଟୁ ସ୍ତନତଟୁ ନୀଳମେଘୀ ପାଟ ।

କାମଭ୍ରଷ୍ଟ ଚନ୍ଦ୍ର ତାରେ ମାଗିଥିଲେ ଆସି

ରତି ।

ନଗ୍ନକରି ନିଜ ଅଙ୍ଗ ଦେଲା ପିଶାଚୁଣୀ ।

।୪।

ରତିଲଗ୍ନ ମାୟାବିନୀ

ଚନ୍ଦ୍ରଅଙ୍ଗୁ ଶୋଷିନେଲା ସମସ୍ତ ଶୋଣିତ ।

ଅବଶପ୍ରତ୍ୟଙ୍ଗ-ଚନ୍ଦ୍ର-ପ୍ରାଣହୀନ ଭୂମିପରେ

ପଡ଼ିଥିଲେ ଢଳି ।

ତାର ପର

ଝରଣାର ପରୀଗଣ

ଆଉ

ବନଦେବୀ

କାନ୍ଦିଥିଲେ ଚନ୍ଦ୍ରର ସମସ୍ତ ଦିଗ ଘେରି ।

ଅଶ୍ରୁକଣା ରାଜି କ୍ରମେ ଘନୀଭୂତ ହୋଇ

ଚନ୍ଦ୍ର ଶବ ପରେ ହେଲା ଘନ ଆବରଣ

ସମାଧିର ସ୍ତୂପ ।

।୫।

ଭୁଲ କ୍ରମେ ଏଇ ପଥେ କେବେ କାଠୁରିଆ ଆସିଗଲେ

ବାଟ ବଣା ହୋଇ,

ଛାତିପରେ ପକାଏ ତା ଛେପ,

ଶୁଣି ଦୂରେ ଉପତ୍ୟକା ତଳେ

ବିଧବା ଲଳନାର ପରି କରୁଣ କ୍ରନ୍ଦନ ।

ତାର ପରେ ବାଟ ଭାଙ୍ଗିଯାଏ ନୀଳଚନ୍ଦ୍ର ଉପତ୍ୟକା ତଳେ ।

 

ମାଳଞ୍ଚ

(ବିଶାଖା ପ୍ରତି)

।୧।

ସେଦିନର

ସ୍ତିମୀତ ଆକାଶ,

ଝିପିରି ଝିପିରି ଖାଲି

ଝରୁଥିଲା ଜଳ

ଦୂରେ ଅବିରଳ ।

ଦୁଇଟି ସାରସ

ଉଡ଼ି ଯାଉଥିଲେ ଦୂରେ

କରି କୋଳାହଳ ।

ଆନମନେ ମୁହଁ କରି ଭାର

ଠିକ୍ ପୃଥିବୀର ସମ

କଣ ଭାବୁଥିଲ ?

ଆକାଶର ନୀଳ

କ୍ରମେ ପରିଣତ କରି ସୁରା ଓ ନାରଙ୍ଗ

ନଦୀ ଧାରେ ସୂର୍ଯ୍ୟ ଅସ୍ତଗତ

(ତୁମେ ଟେବଲରେ

ପ୍ରସାଧନରତ ।)

ନାନା ସରଞ୍ଜାମେ କରି

ରଙ୍ଗ ଓ ବେରଙ୍ଗ

କେତେ ଲକ୍ଷ ଶତ ।

।୨।

ତୁମରି କବରୀ

ସମ କଳା

ଆସିଥିଲା

ଦୂରେ ବିଭାବରୀ

ଗହନ ଓ ସ୍ତବ୍‌ଧ,

ତୁମରି ହାତର

ଆଭରଣ ଟୁଂ ଟାଂ ଶବ୍ଦ

ସମ ଶୁଭୁଥିଲା

ଯେବେ ଝରୁଥିଲା ଜଳ

ଛଳ ଛଳ କଳ କଳ

କେତେ ଅବିରଳ ।

 

 

 

।୩।

ମଦାଳସା ନଗରୀର ଧାରେ

ତୁମ କାନ ଦୁଲ୍ ମୋତି ଆଭା ପରି

ଜ୍ୟୋତିରିଙ୍ଗଣର ଲୀଳା ଚାଲିଥିଲା

ହିଞ୍ଜଳର ବନେ,

ତୁମେ ଆନ ମନେ

ତୁମରି ପଣତ କୋଣେ

ରଖି କରତଳ

ରଙ୍ଗୀନ ସୂତାରେ ଯେ

ଲେଖି ରଖିଥିଲ

ମୋ ନାମର ଦୁଇଟି ଅକ୍ଷର,

ଦୂରେ ବାଲୁଚର

ତୀରେ ଚକୋଇର ଲଘୁସ୍ଵର

ଶୁଣା ଯାଉଥିଲା,

ତୁମ ଆଖିଜଳ

ଝରି ଅବିରଳ

ଭିଜାଇଲା ତୁମ କରତଳ

ବାହାରେ ବି ଝରୁଥିଲା ଜଳ

ଖାଲି ଛଳ ଛଳ

କଳ କଳ ଆଉ ଅବିରଳ ।

।୪।

ତୁମରି

ପାଲଟା ଶାଢ଼ୀର

ଉତ୍ତପ୍ତ ସୌରଭ ପରି

ଗଙ୍ଗ ଶିଉଳିର

ଭିଜାଗନ୍ଧ ଉଠିଥିଲା ଭରି,

ମାଳଞ୍ଚ ରାଗିଣୀ ପରି

ଶସ୍ୟକ୍ଷେତ ପାରୁ

ପତଙ୍ଗର ଗାନ ଶୁଭୁଥିଲା

ରୋମନ୍ଥନ ପରି ଅବିକଳ

ଯେବେ ଝରୁଥିଲା ଜଳ

କଳକଳ ଛଳଛଳ

ଖାଲି ଅବିରଳ ।

।୫।

ବନ୍ଧୁଲୋ

ଆଜିବିତ ଝରୁଅଛି ଜଳ

ମନର ଗହନ ତଳେ

ତୁମ ପଦପାତ

ଶୁଣେ ଅବିରଳ ।

ଆଜିବିତ ଆଣଇ ବିଷାଦ

ତୁମ ତନୁ ସ୍ଵାଦ

ଗତାୟୁ ସେ ନିଶୀଥର

ସେ ଶଯ୍ୟା ରଚନ

ଆଉ ଅଲାଜୁକ ଅଗଣନ

କେତେ ବିବରଣ

ଆଉ କି ପୁନରାବୃତ୍ତି

ହେବସେ ସକଳ

ଯେବେ ଝରିବଲୋ ଜଳ

କଳକଳ ଛଳଛଳ

ଖାଲି ଅବିରଳ ।

 

ସେଲିମର ସ୍ଵପ୍ନ

।୧।

ମାଡାଗାସ୍କର ଲବଙ୍ଗ କ୍ଷେତେ ଆଦ୍ୟ ଆଷାଢ଼ ବାରି

ଆଲ୍ଲା ମେହରବାନି ସମ ଝରିପଡ଼େ,

ଲୋହିତ ସାଗରେ ମୌସୁମୀବାୟୁ ଝଡ଼ର ସୃଷ୍ଟିକରେ

ତାର ଇଙ୍ଗିତ ଧରି ବିଭାବରୀ ଆସେ

ଦିଗଅମ୍ଵରୀ ନିଗ୍ରୋ ଯୁବତୀ ଯଥା

ଉପଳ ବ୍ୟଥିତ ଗତି ନାଇଜର ତୀରେ

କାମ ଉଦ୍‌ବେଗେ ଚଳେ ରତି ଅଭିସାରେ ।

।୨।

ଦିଗନ୍ତବ୍ୟାପୀ ଲବଙ୍ଗ କ୍ଷେତେ ଝିରି ଝିରି ପଡ଼େ ଝରି

ତପନ-ବିହୀନ-ସଘନ ବରଷାଧାରା

ଭିଜା ଜାୟତ୍ରୀ ଫୁଲର ଗନ୍ଧ ବହି

ଈଶାନୀ ସମୀର ବିତରି ଯାଅଇ ଉଡ଼ି

ଆରବ କୁଲୀର ପଲ୍ଲୀର ଅଭିମୁଖେ ।

ଦାରୁଚିନି ବନ ଛାୟାଘନ ତିମିରର

କ୍ଷୁଦ୍ର କୁଟୀର ବୁକେ

ନିର୍ବାଣମୁଖୀ ମହମବତୀର ନିଷ୍ପ୍ରଭ ଆଲୁଅରେ

ନିମୀଳ କଣ୍ଠେ ତୋଳିଛି ସେ ଧୀରେ

ଓମାର ଖେୟାମୀ ପଦ୍ୟ ।

।୩।

ତରଳ ମହମ ବିନ୍ଦୁର ସାଥେ ଶୁଭ୍ର ଲୋତକ କଣା

ଗାଲ ତାର ଝଲେ ଚନ୍ଦ୍ର ନିଶାରେ ଘାସ ଶିରେ ଯଥା

ଶାରଦ ଶିଶିର ରାଶି ।

।୪।

ବୋଖରା ନିକଟୁ ବାଗତାଦ୍ ଯାଏ ଆରବୀୟ ମରୁ ଦେଇ

ଉଷ୍ଟ୍ର ବଣିକଦଳ ଗଲେ ନେଇ ଗୋଲମରିଚର ପଣ୍ୟ

କ୍ଷୁଦ୍ର ଗୋଟିଏ ମରୁଦ୍ଵୀପ ଦେଖେ ବାମେ

ଘନଛାୟା ଘେରା ଖଜୁର ଦ୍ରାକ୍ଷାବନେ ।

ସେଇ ମରୁଦ୍ଵୀପେ ଘଞ୍ଚ କୁଞ୍ଜତଳେ

ରଚିଥିଲା ସେଇ ଶତ ଶୈଶବ ଖେଳା ।

ଛୋଟ ବଂଶୀଟି ଲଗାଇ ଓଷ୍ଠ ପୁଟେ

ତୋଳିଥିଲା କେତେ ଛନ୍ଦବିହୀନ ସୁର

ଜାହାନ୍ନାରା ତା ଲୋଲୁପ ହାତଟି ତୋଳି

ବଂଶୀଟି ନେଇ ଅପାର କୌତୂହଳେ

କହିଥିଲା, ‘ସେଲିମ ! ଆଉଥରେ କୁହ ଭାଇ

ହରନ୍-ଉଲା-ରସ୍-ଇଦ୍ ରଜାପୁଅଟିର ଗପ

ପ୍ରାଇମେରୀ କେଉଁ ପୁସ୍ତକେ ପଢ଼ା ହରନ୍-ଉଲ-ରସ୍-ଇଦ୍ ଗପ

ମେଷପାଳକର କନ୍ୟା ଅମିନା ପ୍ରେମ

ସେଲିମ କହଇ ଗୋଟି ଗୋଟି କରି ସବୁ

ଶତଥର କୁହା ସେଇ ଯେ ପୁରୁଣା ଗପ ।

ଜାହାନ୍ନାଗାର ଆଖିରେ ଜମଇ ପାଣି

ସୁଏଜର ଅଜଣା ପାହାଡ଼ ଉହାଡ଼େ

ସନ୍ଧ୍ୟା ସାଗର କୂଳେ

ଭିଡ଼ିଲେ ତା ତରୀ ଅସ୍ତ ଆଶାୟୀ ରବି

ଧୂଳିଘର ଛାଡ଼ି ଫେରୁଥିଲେ ଯେଝା ଘରେ

ଜାହାନ୍ନାରା ଓ ସେଲିମ୍ ଦୁଇଟି ଶିଶୁ ।

ଆଉ ସେ ଅନେକ କଥା ଛାଡ଼,

ମୌଲରୀ ଘର କନ୍ୟା ଜାହାନ୍ନାରା

ଆଉ କାର ଚାରୁ ଅଙ୍ଗୁର ବନେ ବୁଲ୍‌ବୁଲ୍ ସମ ହାୟ

ତୋଳିଚି ବୀଣାରେ ତାନ

ଆଉ କା ପିଆଲା ଭରି ଢାଳିଅଛି ସୁରା

ମାଡାଗାସ୍କାର ଲବଙ୍ଗ କ୍ଷେତ କୁଲି !!

ଜୀବନରେ ଖାଲି ଗୋଟାଏ ତଫାତ୍ ତା’ର

“ହରନ୍-ଉଲ୍-ରସ୍-ଇଦ୍ ରଜାପୁଅଟିର ଗପ ।”

।୫।

ଆହୁରି ଯୋରରେ ବର୍ଷା ଆସିଛି ନଇଁ

ଗୁରୁ ଗର୍ଜନେ ମକର କ୍ରାନ୍ତି ପରେ

ବର୍ଷା ପବନେ ନିଭିଲାଣି କେତେବେଳୁ

ମହମବତୀର ନିଷ୍ପ୍ରଭ ଭୀରୁଶିଖା ।…………

 

ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆର ମରୁପ୍ରାନ୍ତର ଛବି

ବନ୍ଧୁ ! ଦେଖିଛ କଳ୍ପନା କରି କେବେ ?

ଆଲପ୍‌ସ୍ ଚୂଡ଼ା ଆରୋହୀ ପାହାଡ଼ୀ ଦଳ

କଙ୍ଗୋର ଘନ ଅରଣ୍ୟ ଭେଦି ନରଉଏଜିନ୍ ଦଳ

ସାହାରାର ମରୁ ବଣିକ ଆରବ ଦଳ

ଥରିଉଠେ ଯାର ଭୀରୁ ବିବରଣ ଶୁଣି

ଅଷ୍ଟ୍ରେଲିଆର ସେଇ ପ୍ରାନ୍ତର ଛବି

ବନ୍ଧୁ ! ଦେଖିଛ କଳ୍ପନା କରି କେବେ ?

ଜନହୀନ ଆଉ ଜଳହୀନ ଶତ ଶତ କ୍ରୋଶବ୍ୟାପୀ

ଦିଗ ତୀର ଯାଏ ବିସ୍ତୃତ ପ୍ରାନ୍ତର

ମଧ୍ୟାହ୍ନ ବେଳା ଛିଡ଼ାହେଲେ ଯହିଁ ଖାଲି ଦେଖାଯାଏ

କୁଲଗାର୍ଲିର ସୁନାଖଣିଠାରୁ କୋଇଲା ଧୂଆଁର

ଖାଲି ଶୁଣାଯାଏ ମେଲବୋର୍ଣ୍ଣମୁଖୀ ପାସେଞ୍ଜରର

ବନ୍ଧୁ ! ଦେଖିଛ କଳ୍ପନା କରି କେବେ

ଅଷ୍ଟ୍ରେଲିଆର ମରୁପ୍ରାନ୍ତର ଛବି ?

ମୁଗୁନି ପଥର ରାଶି ଚରଣରେ ବାଧେ

ନାଗଫେଣି ଆଉ ଅପାମାର୍ଗର ବୁଦା

ଜଳ ଅଭାବରେ ଧୂଳିଆକୀର୍ଣ୍ଣ ଶୀର୍ଣ୍ଣ ଶରୀର ଭାରୁ

କଣ୍ଟକରାଶି ଦେଇଛି ଭୂମିରେ ବୁଣି

ଋକ୍ଷ ତୃଷାର ଦୂତି ମରୀଚିକା ଆସି

ପାନ୍ଥରେ ଖାଲି ଯାଏ ସାବଧାନ କରି

ମାଂସ ଲୋଲୁପୀ ଗୃଧ୍ରର ରଡ଼ି କେଉଁ ଶୂନ୍ୟରୁ ଶୁଭେ

କଣ୍ଟକ ରାଶି ଯେବେ ଚରଣରେ ବାଧେ ।

ମାନବ ଯେଉଁଠି ମୃତ୍ୟୁକୁ ନାହିଁ ଖୋଜେ

ଟର୍ପେଡ଼ୋ ଅବା ମେସିନ୍‌ଗନ୍‌ର ମାଡ଼େ

ମୃତ୍ୟୁ ଆସଇ ଆପେ ଧୀରେ ମନ୍ଥରେ

ଦୀର୍ଘ କ୍ଷୁଧିତ ବଙ୍ଗ ବ୍ୟାଘ୍ର ସମ

ପ୍ରାନ୍ତ ଅଧର ଜିହ୍ଵାରେ ଚାଟି ଚାଟି

ରୋଗରେ ପୀଡ଼ିତ ଛାଗଳ ଶିଶୁର ପରେ

ବନ୍ଧୁ ! ଦେଖିଛ କଳ୍ପନା କରି କେବେ

ଅଷ୍ଟ୍ରେଲିଆର ମରୁ ପ୍ରାନ୍ତର ଛବି ??

ଆକାଶେ ତାହାର ମେଘ ଯଦି ଭୁଲେ ଉଏଁ

ବାରିଅର ରିଫ୍‌ର ମୌସୁମୀ ବାୟୁ ଲାଗି

ବର୍ଷା ଝରଇ ଯେବେ

କେବେ ଖୋଦାର ଆଶିଷ ସମ

ସେ ବର୍ଷାଧାରା ନାହିଁ ଛୁଇଁପାରେ ତପ୍ତ ମାଟିର ବୁକୁ

ଷ୍ଟ୍ରାଟେସଫିଅରର ଶୁଷ୍କ ଝଞ୍ଜା ଆସି

ଅର୍ଦ୍ଧ ଆକାଶେ ଶୋଷିନିଏ ତାରେ ଭାଇ !

ବାରାଙ୍ଗନାର ଭ୍ରୁଣହତ୍ୟାର ସମ ।

କେଉଁ ଶତାବ୍ଦୀ ତଳେ

ମେଷପଲ ନେଇ ଆସିଥିଲା ଏଥେ ଜଳସନ୍ଧାନୀ ମେଷ ପାଳକ ସେ କେବେ

ଶବ ତାର ସଢ଼ି କରିଥିଲା ଥରେ ସଂକ୍ରମିତ ଏ ବାୟୁ

ତାରି କଙ୍କାଳ ଧବଳିତ କରି କ୍ରମେ

ସୂର୍ଯ୍ୟରଶ୍ମି ଖରତର ହୁଏ ନିତି

ଦ୍ଵିପ୍ରହରରେ ଗଭୀର କ୍ଷୁଧାରେ ପ୍ରେତାତ୍ମା ତାର ବୁଲେ

ଜଳ ଖୋଜି ଖୋଜି ଚିତ୍କାରି ହାହାକାର

ଜଳହୀନ ଆଉ ଜନହୀନ ସେଇ ପଥେ ।

ମାନବର ଚିର ସଂଚିତ ଆଶା ବଂଚିତ କରି ହାୟ

ବିଷୁବ ରେଖାର ଦକ୍ଷିଣ ଦିଗ ତୀରେ

ଅଜଣା ସେ ଯେଉଁ ଅକ୍ଷାଂଶ ଆଉ ଦ୍ରାଘିମା ବୁକୁରେ ବସି

ନଟ ନର୍ତ୍ତନେ ଲଗାଇଛି ବିଭୀଷିକା

ତାହା

ବନ୍ଧୁ ଦେଖିଛ କଳ୍ପନା କରି କେବେ

ଅଷ୍ଟ୍ରେଲିଆର ମରୁ ପ୍ରାନ୍ତର ଛବି ।

 

ହୀରକ ସ୍ଵପ୍ନ

ସ୍ଵର୍ଣ୍ଣବୀଜ ଫସଲରେ ସ୍ଵପ୍ନଲାଗେ ହୀରକ ସନ୍ଧ୍ୟାର

ଉତ୍ତରଣ ନଦୀ ସ୍ରୋତ ବହିଚାଲେ

ସମୁଦ୍ରର ପ୍ରଖର ଇଂଗିତେ ।

ଅପରୂପା ପୃଥିବୀର ନୃତ୍ୟଲୀଳା ସଖି ……….!

ହୁଏତ ସୁଦୂରେ କାହିଁ

ସ୍ଵପ୍ନ କିବା ସତ୍ୟ ହୋଇ ଆକାଶ ଛୁଇଁଛି !!

ତଟଭୂମି ସ୍ଵାକ୍ଷରିତ ଚନ୍ଦ୍ରର ଶପଥେ

ଅଳସ ପକ୍ଷ ଭସାଇ ନୀଳ କୁଆସାରେ

କପୋତ ମିଥୁନ ଲଂଘେ

ମେଘର ମେଖଳା ।

ଏ ଜୀବନ କିନ୍ତୁ ମୋର ମହା ବାଲୁଚର

ମହୀରୂହ ରୂପହୀନ ସଖି !

ସ୍ଵପ୍ନେ ସ୍ଵପ୍ନେ ଉଚ୍ଚକିତ ଜୀବନ କାହିଁଛି

କାହିଁଛି ଲତା ବାହୁର ବ୍ୟାକୁଳ ବେଷ୍ଟନ

କାହିଁ ବିହଙ୍ଗର କଣ୍ଠେ ସ୍ନିଗ୍‌ଧ ସଂଧ୍ୟା ଆସେ

କାହିଁ ?

କହ କାହିଁ ?

ଏ ଜୀବନେ ତୁମେ ମୋର ସ୍ତିମିତ ଆକାଶ

ତାରକାବ୍ୟାପ୍ତିର ସମ ତୁମରି ଉପମା

ରାତ୍ରିର ଲାବଣ୍ୟ ତୁଟେ ତୁମରି ବେଣୀରେ

ଫସଲର ମୁକ୍ତି ମିଳେ ତୁମରି ସଂଗୀତେ ।

ତୁମରି ଓ ମୋର ମଧ୍ୟେ ସ୍ଵଭାବିକ କେତେ ବ୍ୟବଧାନ

କେତେ ଶତ କାଳ ରାତ୍ରି ନୀଳ ଝଡ଼ ବିଦ୍ୟୁତ

ମେଘେ ମେଘେ ସଂଚିତ କାହାଣୀ ।

ସେ ଏକ ଚପଳ ଦିନ

ପ୍ରାଣ ଦେଇ ରକ୍ତ ଦେଇ ସୁନେଲୀ ଆଘ୍ରାଣ

ରୋମାଂଚ ଓ ଆଲିଙ୍ଗନ

ତୁମରି ବାଳିକା କାନେ ଗୁଂଜରଣ

ଅଶ୍ଳୀଳ କବିତା ।

ତୁମରି କୌତୁକୀ ମନେ ମୁହିଁଥିଲି ସଖି

ଅଲାଜୁକ ଏକ ଆଗନ୍ତୁକ ।

ହେ ସଖି ! ତୁମରି ପ୍ରୀତି

ପଥେ ପଥେ ଫୁଲ ହୋଇ ଆହ୍ଵାନ ଜଣାଏ

ଦେହାତୀ ନାରୀର ଚଷେ ପାଏଁ ମୁହିଁ

ତୁମରି କଟାକ୍ଷ

ତୁମରି ଷୋଡ଼ଶୀ ଦେହ ଗନ୍ଧ ମିଳେ

ନୂତନ ଶସ୍ୟରେ ।

ତଥାପି କାହିଁଛ ତୁମେ?

କାହିଁ ସେହି ସ୍ଵପ୍ନର ମଞ୍ଜିଲ ?

ପଣନ୍ତ ତଳର ନିଦ୍ରା ମାଗେ ମୋର

ଏ କ୍ଷୁଧାର୍ତ୍ତ ଦେହ !

ମୃତ୍ୟୁଞ୍ଜୟୀ ମନେ ମୋର ସଖି

ତୁମରି ମଲ୍ଲୀ ବହୁଳ ଶାଢ଼ୀର ସୌରଭ

ଆଜି ଚିରଂଜୀବ !!

ଚାଲିଛି ସମ୍ମୁଖେ ।

ଉଲଙ୍ଗ ମାଟିର ଗନ୍ଧେ ବଳିଷ୍ଠ ମୁଁ

ନବାନ୍ନରେ ଆଜି ଯୁକ୍ତ ଆୟୁ

ଦେହତୀରେ ସଖି

ଅୟୁତ ସମ୍ଭାବନାର ଏ ପୃଥିବୀ ପ୍ରତି

ସ୍ନେହ ନିବେଦନ କରେଁ ଅପୂର୍ବ ସଂଗୀତେ

କିନ୍ତୁ ଚଳେ ମନ ତହିଁ

ଇନ୍ଦ୍ରଧନୁ ରଂଜିତ ଏ ମାଟି

ଯହିଁ ସୁନା ହୋଇ ଆହା ଦିଗନ୍ତେ ମିଶିଛି !

ତହିଁକି ମିଳିବ ତୁମେ

ସେହି ମେଘ ବିତାନର ତଳେ ?

ଦିଗେ ଦିଗେ ସଂଚରଣ କରି

ତୁମରି ସୁବର୍ଣ୍ଣ ମାୟା ତୁମେ ଆସିବ କି

କିନ୍ନର ପ୍ରିୟାର ବେଶେ ଏ ପୃଥିବୀ ପଥେ ?

ହେ ସଖି ମିଳାଅ ହାତ

ମାନବୀର ପରମ୍ପରା ପ୍ରେମେ ବନ୍ଧୁତାରେ

ସୃଷ୍ଟିମୟ ଜୀବନର ପତାକା ଉଡ଼ାଅ

ହେ ସଖି ମିଳାଅ ହାତ !

ଦି’ ହାତ ମିଳାଅ !!

 

ସୁମେରୁରେ ସନ୍ଧ୍ୟା

।୧।

ଉତ୍ତର ମେରୁର ଶୀତ କଟୀବନ୍ଧ କୂଳେ

ଆତ୍ମହତ୍ୟା କରେ ଅସ୍ତରବି

ସନ୍ଧ୍ୟାର ଗହନ ଜଳେ ମଳିନ ରକ୍ତିମା

ଋଜୁଭାବେ ସୃଜେ ଦୀର୍ଘ ସ୍ତିମିତ ଆଲୋକ

ରାତ୍ରି ସମ କଳା ନିସ୍ତରଙ୍ଗ ସମୁଦ୍ରର ଘନୀଭୂତ ବକ୍ଷ

ଶାନ୍ତି ହୋଇ ଆସେ

ପ୍ରାକ୍ ଇତିହାସ ଯୁଗ ସରୀସୃପ ସମ ।

।୨।

ବଲଟିକ ଉପସାଗରର ନେଋତ କୋଣରେ

ଦୀର୍ଘ ରକ୍ତବିନ୍ଦୁ ସମ ଖସିପଡ଼େ ଯେବେ

ଅସ୍ତରବି

ଅପର ଦିଗର ମୁଖେ

ଖେଳାଳୀ କୌଣସି ଶିଶୁ ବାଳିକା ଅଙ୍କିତ

ବହିର ଲାଲ ମଲାଟେ କାଳି ଦାଗ ସମ

ଦୀର୍ଘରାତ୍ରି ଭୀରୁ ବଲ୍ଗାହରିଣର ଦଳ

ଫେରେ ସାଇବେରିଆର

ଉଷ୍ମ କଟୀବନ୍ଧ ଘାସ ଅଚ୍ଛନ୍ନ ଟ୍ରାପିଜେ ।

 

।୩।

ଶିଳା କଣ୍ଟକିତ ଗୁହା ଗଭୀର ଗହ୍ଵର

(ହିଂସା ମୁଖରିତ ଲକ୍ଷଫେନ ଉର୍ମିଦଳ ଦାମାମା ବଜାଏ ଯହିଁ)

ଘୋର ବରଫ ଅବୃତ

ତହିଁ

ଅନଶନେ କଟାଇବା ଲାଗି ଦୀର୍ଘନିଶା

ଶ୍ଵେତ ଭଲ୍ଲୁକ ରଚଇ ବିସ୍ତୃତ ଶୟନ ।

ଶିଲ୍ ମତ୍ସ୍ୟଦଳ

ତୁଷାର ପରଦା ଭେଦିଯାଏ ମିଶି କାହିଁ ।

ଗାଢ଼ତର ଅନ୍ଧନିଶା ହୋଇ ଆସେ କ୍ରମେ ।

।୪।

ତୁଷାରର କୁଟୀରରେ ତିମିର ଚର୍ବିରେ

ଜାଳି

ପାଣ୍ତୁର ସଳିତା ତାର ଏସ୍କିମୋ ଘରଣୀ

ରନ୍ଧନ କରୁଛି ବନ୍ୟ ପାତିହଂସ ମାଂସେ

ଆସନ୍ନ ରାତ୍ରିର ପଥେ ଶିକାରୀ ପ୍ରିୟର

ପାଥେୟର ଲାଗି ।

କୋକିଶିଆଳୀର ରୋମ ମସୃଣ ଶଯ୍ୟାରେ

ନିଦ୍ରିତ ଦିଓଟି ଶିଶୁ ।

ରାତ୍ରିର ଆରାମ

ସୂଚାଇ ଦେଲାଣି ଦୂରେ ତୁଷାର ଝଟିକା ।

।୫।

ନିବିଡ଼ ଗଭୀର ଭାବେ ଆସେ ବିଭାବରୀ

ତୁଷାରପାତର ଘୋର ବିଭୀଷିକା ଆଣି

ସୁଁ ସୁଁ ରବେ ଆସେ ତୁଷାର ଝଟିକା

ତୁଷାରପାତର ଘୋର ବିଭୀଷିକା ଆଣି ।

ଜନହୀନ ଗର୍ଭିଣୀ ନିଶିଥ

କାମସକଟ୍‌କାଠାରୁ ଗ୍ରୀନ୍‌ଲାଣ୍ତ ପରିଯନ୍ତେ

ପିଶାଚୀ କାଉଁରୀ କାଠି ଦେଇଛି ଛୁଆଇଁ ।

ଶବ୍ଦହୀନ ଚତୁର୍ଦ୍ଦିଗ

ତୁଷାର ଝଟିକା ସୁଁ ସୁଁ ଶବ୍ଦ ଛଡ଼ା

ଶବ୍ଦହୀନ ଚତୁର୍ଦ୍ଦିଗ,

ମୃତମଡ଼ା ମାଂସ ଲୋଭେ ଦୁଇ କୋକିଶିଆଳ

ଦ୍ଵନ୍ଦଯୁଦ୍ଧ…ବିକଟ ଚିତ୍କାର ଛଡ଼ା

ଶବ୍ଦହୀନ ଚତୁର୍ଦ୍ଦିଗ,

ଆର୍ଟିକର ଜାନୁଆର କ୍ଷୁବ୍‌ଧ ଶିଆଳର

ଫେଉ ଫେଉ ରବ ଛଡା

ଶବ୍ଦହୀନ ଚତୁର୍ଦ୍ଦିଗ ।

।୬।

ଚକହୀନ ସ୍ଳେଜ୍ ଗାଡ଼ି ପରେ

କୁକୁରର ବଲ୍ଗା ଧରି ଏସ୍କିମୋ କିଶୋରୀ

ଛୁଟିଛି ଗୃହର ମୁଖେ

ଜୀବନ ସହିତ ତାର ନିତ୍ୟ ଏ ସଂଗ୍ରାମ

ନିର୍ଭୀକ କରିଛି ତାକୁ ।

ଏହି ରାତ୍ରି ବିଭୀଷିକା

ଯେଉଁଠାରେ ଆଣିଦିଏ ଦିବାର ସ୍ଵପନ

ସେଠାକାର ମଣିଷକୁ ଜାନୁଆର ସେ କହେ ।

ଚତୁର୍ଦ୍ଦିଗେ ତୁଷାର ଝଟିକା

ମଧ୍ୟେ ତାର ଛୁଟେ ତୀର ବେଗେ

ଚକହୀନ ସ୍ଳେଜ୍ ।

।୭।

ସମସ୍ତ ସୁମେରୁ ଶିରେ

ନଇଁ ଆସେ ତୁଷାର ଝଟିକା

ମେରୁର ଆଲୋକ ରେଖା ଉଇଁ ନାହିଁ ।

ମୁଷ୍ଟିମେୟ ଜନ ପ୍ରାଣୀ

ଗଭୀର ନିଦ୍ରାରେ ମୁଦେ ଭୀରୁ ଆଖିପତା ।

ବାହାରେ ତୁଷାର ଝଡ଼ି ଜାନୁଆର ଚିତ୍କାର

ସମସ୍ତ ସୁମେରୁ ଶିରେ

ଯବନିକା ଟାଣି

ନଇଁ ଆସେ

ହିମାନୀ ନିଶିଥ ।

 

ପ୍ରିୟା

।୧।

ନୂଆ ବୋହୂର ଅଛି ଆଉ ଭଉଣୀ କିନା

ସଖା ! କହିକି ପାର !

ଯାର କଜଳ କେଶେ

ଖେଳେ ଅସ୍ତଆଭା

ଦେହ ଗଂଧ ଲୋଭେ

ଛୁଟେ ମଧୁବ୍ରତ

ଆଖି ଅଂଧ କରେ

ଗଲେ ମଦ୍ୟ ଚାଖି

ତାର ଅଂଗ ଶୋଭା;

ସଖା କହିକି ପାର

ନୂଆ ବୋହୂର ଅଛି ଆଉ ଭଉଣୀ କିନା

ମାନେ ମାନସ ଲୋଭା ।

।୨।

ତାର ବୟସ ଯଦି ନାହିଁ ହେଲା ଷୋହଳ

ତହିଁ କ୍ଷତି ବା କଣ

ଯଦି ବିଂଶ ଠାରୁ

ହୁଏ ତ୍ରିଂଶ ଯାଏ

ମାନେ ଛଂଦ ହରା

ଚିତ୍ତେ ଦ୍ଵନ୍ଦ୍ଵଭରା

ତାର ରୂପଟି ହୁଏ

ଯଦି କାଳିମା ବୋଳା

ତହିଁ କ୍ଷତିବା କଣ,

ମନ ବ୍ୟସ୍ତ କରା

ଯଦି ବନ୍ୟାବାହ ଉପକୂଳର ସମ

ଦେହେ ଜୁଆର ତୁଟେ ।

।୩।

ସଖା ଏପରି ଥାଏ ଯଦି ତରୁଣୀ ଆଉ

-ମାନେ କିଛି ନହେଲେ-

ଖାଲି ଇଚ୍ଛା ହୁଏ ପ୍ରେମ ପଦ୍ୟ ଲେଖି

ଧର ଏମ୍‌ତି କିଛି

ଆହା ମନ୍ଦ କିବା !

ଲାଲ ଲୋଲୁପ ଗାଲେ

ତାର ଦୁଲ୍‌ଟି ଦୋଳେ

ସଖା ଲାଳସା ଜାଗେ ଭରି ତନୁ ଓ ମନ

ନୁହେଁ ମିଥ୍ୟା କେବେ ।

।୪।

ନୂଆ ବୋହୂର ସଖା ଯଦି ଭଉଣୀ ଏକ

କହ ମିନତି ମୋର

ଧର ଗୋଟିଏ ଛାଡ଼ି

ଯଦି ଦିଓଟି ହେଲେ

ତେବେ ମନ୍ଦ କଣ

(ଯଦି ତାଙ୍କ ଥାଏ) ।

ତାର ସନ୍ଦେଶରେ

ନାଚେ ଉତଲା ହୋଇ

ବୁକେ ରକ୍ତ ମୋର

ମାନେ ଇଚ୍ଛା ହୁଏ କେବେ ଦେଖା ହେବକି

ଧର ଅକସ୍ମାତ !

 

ବେଦୁଇନ୍‌ର ଦେଶେ

।୧।

ଦିଗନ୍ତ ଯାଏ ପ୍ରାନ୍ତର ଖାଲି ଧୂସର ଓ ଗେରୁ ଲେଖା

ମଝିରେ କେବଳ ଅଫିମ ପୁଷ୍ପୋଚ୍ଛ୍ଵାସ ।

ଅଙ୍ଗୁର କ୍ଷେତ ଆଉ

ପପ୍‌ଲାର୍ ତରୁ ସଂଘର ନୀଳଛାୟା,

ସେଇ ବେଦୁଇନ୍ ଦେଶେ

ଚାଲ ସହଚରୀ ରଚିବା ଆମରି ନୀଡ଼ ।

।୨।

ପାର୍‌ସୀ ସୁରାରେ ଲାଲ ହୁଏ ଯହିଁ ରାତ୍ରି

ଡାଲିମ୍ ଫୁଲର ସମ

ନିଶାରେ ବିଭୋଳ ବେଦୁଇନ୍ ବାରବଧୂ

ନରମ ଦେହର ପରଶ ଲଗାଏ ଅଛଳନା ଅନୁରାଗେ,

ଆକାଶେ ହଳଦୀ ଚନ୍ଦ୍ର

ଗୋରଚନା ଯହିଁ ଲେପି ଦେଇ ଯାଏ ଅସ୍ତ ଅଚଳ ତୀରେ

ଅତନ୍ଦ୍ର ନିଶା ଯାଏ ଗୁଲ୍‌ଜାରେ ସରି

ସେଇ ବେଦୁଇନ୍ ଦେଶେ

ଚାଲ ସହଚରୀ ରଚିବା ଆମରି ନୀଡ଼ ।

।୩।

ଦିନ ଶେଷେ ସଖି ତମେ ଆଣିଦେବ ଜଓ୍ୟାର ରୁଟିର ଥାଳି

ବୋର୍ଖାର ତଳୁ ଦୁଇଟି ନଳିନ ଆଖି-

ତୋଳି ମତେ ଦେବ ରାତି ଗୋଟିକର ଛୁଟି ।

ଆରବୀ ଅଶ୍ଵାରୋହୀ ମୁହିଁ ସଖି ମରୁର ଦସ୍ୟୁ ଦଳେ

ସ୍ପେନୀୟ ବଣିକେ ଲୁଣ୍ଠନ କରି ଆଣିବି ରାତି ଶେଷେ

ବଣ୍ଟନ ଭାଗ ଅନାଜ୍ ଓ ଗଜମୋତି ।

ଦିବସ ଆସିବ ତୁମରି ପଣତ ତଳେ

ନୂତନ ଲଗନେ ନୂତନ ଶୁଭରେ ପ୍ରିୟ

ସେଇ ବେଦୁଇନ୍ ଦେଶେ

ଚାଲ ସହଚରୀ ରଚିବା ଆମରି ନୀଡ଼ ।

।୪।

ଶସ୍ୟ ଭାରରେ ଅବନତ ଏଇ ମାଟି

ଦୁଷ୍ଟ ହେଲାଣି ଲୋଭ ଓ ଶାସନ ଲାଗି

ଅସହଯୋଗ ଓ ଯୋଜନାର ଲାଗି ଉତିଷ୍ଟ ହୁଏ ପ୍ରାଣ ।

ସେଇ ବେଦୁଇନ୍ ଦେଶେ

ମେଘ ସୀମନ୍ତେ ନାହିଁ ଲାଗେ ଜଳରେଖା

ଋକ୍ଷ ନୀରସ ପୃଥିବୀ ହସଇ ଭୌତିକ ଅଭିମାନେ,

ବାଣିଜ୍ୟବାୟୁ ବନ୍ଦରେ ଦ୍ଵୀପେ ଦ୍ଵୀପେ

ତୋଳେ ନାହିଁ କେବେ ଶ୍ଳାଘ୍ୟ ଗୁଞ୍ଜରଣ

ତଥାପି ଜୀବନେ ସହାନୁଭୂତିର ସୁର

ନୂତନ ଶ୍ରେଣୀର ପ୍ରଥମ ସମାଜ ରଚେ,

ସେଇ ବେଦୁଇନ୍ ଦେଶେ

ଚାଲ ସହଚରୀ ରଚିବା ଆମରି ନୀଡ଼ ।

।୫।

ଉଷ୍ଟ୍ର ପାଳନ ଦ୍ରକ୍ଷାର ଆବାଦରେ

ଆମରି କୁଟୀରେ ସ୍ଵର୍ଗ ସୃଜିବା ରାଣି

ତାହାପରେ କେଉଁ ଶିଶିର ଶୀର୍ଣ୍ଣ ରାତେ

ବକ ପଙ୍‌କ୍ତିର ବିଧୂର କୂଜନେ ଧୀରେ

କମଳା ଲେମ୍ଵୁ ବନେ

ଆମରି କବର ନିଜ ହାତେ ଦେବା ସାଜି

ଲୟଲା ମଜ୍‌ନୁ ସମ,

ସେଇ ବେଦୁଇନ୍ ଦେଶେ ।

 

ହେ ଧୂସର ରାଜପଥ

।୧।

ପଥ !

ହେ ଧୂସର ରାଜପଥ !

ଅର୍ଦ୍ଧ ନିଶିଥେ ପୁନରପି ନିକି ଶୁଣ

ବୈତାଳିକର ଗାନ ।

ଦୂର ଦୂରାନ୍ତେ ମେଘର ଅନ୍ତରାଳେ

ଧୀରେ ଲୁଚିଗଲେ ଲଜ୍ଜିତ ଶଶିରେଖା,

ଶେଷ କପର୍ଦ୍ଦ ଜୁଆଖେଳେ କରି ଶେଷ

ପକେଟମାରୁ ସେ ସରାପୀ ଫେରିଲେ ଗୃହେ

(ଛିନ୍ନ ତାଳିର ବିଗଳିତ ସ୍ନେହେ ପରିହିତ

ଉପାନହ

ଘୋଷାରି ଘୋଷାରି କୁଣ୍ଠିତ ତାର ପଦ)

ମଦ୍ୟ ନିଶାରେ ଅଧାଭୁଲି ମୂଳପଦୁଁ

ଗୋପାଳକୃଷ୍ଣ ପଦାବଳୀ ଗାଏ ଯଦି,

ଅର୍ଦ୍ଧ ନିଶିଥେ ପୁନରପି ତା’ କି ଶୁଣ

ହେ ଧୂସର ରାଜପଥ ।

 

।୨।

ଦୁଇ ଧାରେ ତୁମ ହର୍ମ୍ୟ ଚୁମଳ ନଭ

ତଳେ ଶ୍ଵାସରୋଧ କରେ ନର୍ଦ୍ଦମା ଜଳ

ତିମିର ଧ୍ଵନିତ ମଶକ ହିଂସ୍ର ଗାନେ ।

ପାଇଖାନା ତଳେ

ପ୍ରେତାତ୍ମା ସମ ତହିଁ

ପୁନରପି ହାତ ମୁଠାତଳେ ରଖି ଛୋରା

ଛପି ବସିଥିଲେ ମଣିଷ ଶିକାର ଲୋଭେ

କଣ୍ଠନାଳୀର ରତ୍କ ଲୋଲୁପୀ ସହରର

ଡକାୟତ

ନିଶ୍ଵାମ୍ବେ ତା ଯଉଁ ହତ୍ୟାର ସୁର

ବାଜିଉଠେ ତାହା ପୁନରପି ନିକି ଶୁଣ

ଅର୍ଦ୍ଧ ନିଶିଥେ ହେ ଧୂସର ରାଜପଥ ।

।୩।

ଆଉନିକି ଶୁଣ ହେ ଧୂସର ରାଜପଥ ।

ପଥର ପାର୍ଶ୍ଵେ ରୁଗ୍‌ଣ କୁକୁର ସମ

ପଙ୍ଗୁ ଭିଖାରୀ ନିଚେଷ୍ଟ ପଡ଼ିରହି

କ୍ଷୟକାଶେ ଯେବେ କାଶିଉଠେ ବାରବାର ।

ଆଉ ନିକି ଶୁଣହେ ଧୂସର ରାଜପଥ !

ବିଡ଼ିର ଗନ୍ଧେ ଧୂମାୟିତ କରି ବାୟୁ

ବାରାଙ୍ଗନାର ପୁର ଅଭିମୁଖେ

ତିମିରିତ ଗଳି ପଥେ

ଶୀର୍ଣ୍ଣ-ସ୍ଵାସ୍ଥ୍ୟ ଲମ୍ପଟ ଯାହା ଗାଏ !

ଶୁଣ ତୁମେ ସବୁ

ଜାଣେ ମୁହିଁ ରାଜପଥ !

।୪।

ସଭ୍ୟତା ଯାରେ ତଳକୁ ଦେଇଚି ଚାପି

ଲୋତକର ଦାବୀ ଦଳିଚି ଯୋତାର ତଳେ

ଅର୍ଦ୍ଧ ନିଶାରେ ସେଇ ବଂଚିତ ଦଳ

ହିଂସ୍ର ଗରବେ ତାଣ୍ତବେ ମାତିଉଠେ

ମଦ ଓ ମଣିଷ ମାଂସର ମହାଭୋଜେ ।

ଅପମାନ ଆଉ ଲାଂଛନା ଯାରେ ଦେଲା

କଣ୍ଟକମୟ ମୁକୁଟ ଲତାଇ ଶିରେ

ସେହି ଆଜି ଗାଏ ମୃତ୍ୟୁ ମାଫିକ୍

ହିଂସାର ମହାଗାନ ।

ରକ୍ତ ଲଳିତ ସେଇ ଗାନ ତୁମେ ଶୁଣ-

ଯୁଗ ଯୁଗ ଧରି ଆଦିମ ଯୁଗରୁ

ଛନ୍ଦବିହୀନ ସୁରେ ।

ଆହୁରି ବେଶୀ ବି ଶୁଣିବ ଆଗାମୀ ଯୁଗେ

ହେ ଧୂସର ରାଜପଥ !!

 

ଶୁଆ ସାରୀ

ସାରୀ କହେ :

ଶୁଣ୍ ଶୁଆରେ,

ଦେଖ ଆକାଶରେ ଲାଗଇ ପ୍ରଳୟ ସୂଚନା

ବନ ଗହନର ପତ୍ରବହଳ ଶାଖାରେ

ଆ’ରେ କରିବା ଆମରି କୁଳାୟ ରଚନା ।

ମତ୍ତ ଝଟିକା ସାଥେ ଆସେ ଯେବେ ବୃଷ୍ଟି

କାହିଁ ଆଶ୍ରୟ, ହେବ ଯେ ପକ୍ଷ ବିକଳ,

ହେଇ ଦେଖ ଦୂରେ ଚାଲଇ ଝଡ଼ର ସୃଷ୍ଟି

କୁଞ୍ଚିତେ ଆସେ କଜ୍ଜଳ କଳା ବାଦଲ ।

ଶୁଆ କହେ :

ସାରୀ ଶୁଣ୍‌ଲୋ,

ନବୁଝେ ମୁଁ କିଆଁ କାହିଁ ଆଶ୍ରୟ ଖୋଜିବା

ଘନ ଗମ୍ଭୀରେ ପ୍ରଳୟ. ଶଙ୍ଖ ବାଜିଲେ

ଅଳସ ପକ୍ଷେ ସମାହୀନ ମେଘେ ହଜିବା,

ବଜ୍ର ବାଜିଲେ ବିଦ୍ୟୁତ୍ ଭାରୁ ଝଲକେ

ବିପୁଳ ପୁଲକେ ଗଗନେ ମିଶିବା ସଜନି !

କଳ କଣ୍ଠରେ ଝଡ଼ ବନ୍ଦନା କୂଜିବା,

ନୀଡ଼ ରଚନାରେ ମନ ମୋର କାହିଁ ମଜୁନି ।

 

ସାରୀ କହେ :

ଶୁଣ୍ ଶୁଆରେ,

ସଦା ବିଚରଣ ସଂଭବ କାହିଁ ଆକାଶେ

ଘର ବୁଡ଼ା କଥା କାହୁଁ ତୁ ଶିଖିଲୁ ଅବାରେ

ତେବେ ଏ କାନନ ତରୁଶାଖା କାହା ସକାଶେ

ବର୍ଷର ପଛେ ଘୋର ଜାଡ଼ ମାଡ଼ି ଆସିବ

ପତ୍ର ଖରା ଏ କାନନ ସୀମାରେ ସଘନେ,

ପକ୍ଷ ପୁଟେ ମୁଁ ଦେବି ଯେ ଆରା ମଶୟନ

ତା ନିକି ମିଳିବ ନିଷ୍ଠୁର ନୀଳ ଗଗନେ ।

 

ଶୁଆ କହେ :

ସାରୀ ଶୁଣଲୋ,

ଛାୟା ପଥେ ଆମେ ତାରାରେ ତାରାରେ ଚଳିବା

ଉପଗ୍ରହର ସୀମନ୍ତେ ବସି ବନ୍ଧୁ !

ଏଇ ଧରଣୀର କରୁଣ ଯାତନା ଭୁଲିବା;

ଜ୍ୟୋତିଚକ୍ରରୁ ଜ୍ୟୋତି ଘେନି ମୁହିଁ ସହିରେ

ସାଜି ଦେବି ତୋର ଦଳିତାଞ୍ଜନ କବରୀ

କିନ୍ନର ମିଥୁନର ସମ ମେଘ ଶୟନେ

ଉତ୍ତରୀୟେ ମୁଁ ତନୁ ତୋର ଦେବି ଆବରି ।

 

ସାରୀ କହେ :

ଶୁଣ୍‌ ଶୁଆରେ,

ବସନ୍ତ ଆଉ ଜ୍ୟୋତ୍ସ୍ନା ଏଠିକି ଆସିବ

ତରୁ ଲତା ଶିରେ ଫୁଟିବ ଲକ୍ଷ କୁସୁମ

ମଧୁଚୋର ଚୋରା ମଳୟେ କୁଞ୍ଜେ ରାସିବ;

ପାଲଟିବ ଏଇ ମାଟିର ଧରଣୀ ସ୍ଵର୍ଣ୍ଣେ

ନୂତନ ଧାନ୍ୟେ ଲକ୍ଷ୍ମୀ ଆସିବ ଦୁଆରେ

ମାଟିର ମମତା ଶାଖାର ମମତା ତିଆଗି

କେଉଁ ସୁଖ ପୁଣି ମିଳିବ ଗଗନେ ଶୁଆରେ !

 

ଶୁଆ କହେ :

ସାରୀ ଶୁଣ୍‌ଲୋ,

ଇନ୍ଦ୍ରଧନୁର ପଥେ କେବେ ଯିବା ଭାସିଣ

ଚଞ୍ଚୁ ପୁଟକେ ଦେବି ତୋ ମୁକ୍ତା ମାଣିକ

ଚନ୍ଦ୍ରଲୋକର ଗିରି ଶୃଙ୍ଗେ ବା ବସିଣ,

ଉଲ୍‌କାର ସାଥେ ପ୍ରଭଞ୍ଜନେ ବା ଛୁଟିବା

ରୁଦ୍ର ତାହାରି ବଜ୍ର ବିଷାଣ ହାଣିଲେ

ଚାରଣ ଗୀତିକା ଐକତାନେ ବା ଗାଇବା

ପ୍ରାଚୀତୀରେ ଉଷା ପୂଜା ଥାଳି ତାର ଆଣିଲେ ।

 

 

ସାରୀ କହେ :

ଶୁଣ୍ ଶୁଆରେ,

ତରୁଶାଖେ ଫଳ ତଳେ ଝରଜଳ ବହଇ

କାନ ପାତି ଶୁଣ୍ ବିଲେ ନଈକୂଳେ ପାଟରେ

ସକାଳର ଡାକ କି ଖବର ଆଣି କହଇ ।

ଉପତ୍ୟକାରେ ଗିରି ସଂକଟ ସୀମାରେ

ଦିନାନ୍ତେ ଯେବେ ରବି ରେଖା ଯାଏ ମଉଳି

ନୀଡର ମମତା ଘରଣୀ ମମତା ଶୁଆରେ

ମାଟିର ମମତା ନିଦାରୁଣ ରୂପେ କି ଭୁଲି !

 

ଶୁଆ କହେ :

ସାରୀ ଶୁଣ୍‌ଲୋ,

କଠୋର ଧରଣୀ କଠୋର ଏ ନୀଡ଼ ରଚନା

ଶୃଙ୍ଖଳିତ ଏ ନିଠୁର ଜୀବନ ସରଣୀ

ମନେ ଆଣେ ଭୀତି ସଂକୋଚ ଅନୁଶୋଚନା ।

ପକ୍ଷ ଅଛି ମୁଁ ଉଡ଼ି ଯିବି ଦୂର ଆକାଶେ

ମାନସ ପୁରୀର ଅପରୂପ ରୂପ ଅୟନେ

ପାଗଳ ଆଜି ମୁଁ ଉଚ୍ଛୃଙ୍ଖଳ ସଜନି !

ମୁକ୍ତିର ନିଶା ଲାଗିଛିରେ ନୀଳ ନୟନେ ।

 

 

ସାରୀ କହେ :

ଶୁଣ୍ ଶୁଆରେ,

ଅନା ମୋର ଆଡ଼େ, ଅନାରେ ଏ ଆଖିଲୋତକ

ପକ୍ଷଲତାରେ ବାନ୍ଧିବି ତୁ ରେ ଯା’ ନା

ମୁଁ ଦେବିରେ ତତେ ତୋ ଗଗନ ସୁଖ ଯେତକ ।

କଅଁଳ ପତ୍ର ଗହଳରେ ନୀଡ଼ ମୁଖରି

ଦୂରୁ ଶୁଭୁଥିଲେ ଶିଶୁର ଦରୋଟି କୂଜନ

ଭୀରୁ ଥଣ୍ଟରେ ଆଧାର ଚଖାଇ ଦେବାରେ

କଳ୍ପନା କର୍ ହୁଏ ଯେ ଗୃହର ସୃଜନ ।

 

ଶୁଆ କହେ :

ସାରୀ ଶୁଣ୍‌ଲୋ !

ସାରୀ କହେ : ଶୁଆ ମୋ କଥା ମାନି ତୁ ଆ’ରେ !

କଳ ଗୁଞ୍ଜନେ ଯୁଗଳ ପକ୍ଷୀ ଅଧୀର

ମିଥ୍ୟା ମିନତି ନଶୁଣଇ କେହି କାହାରେ ।

ଏକ କହେ ସେ ଯେ ନଭ ନୀଳିମାରେ ହଜିବ

ଆନ ଖୋଜେ ଶାଖା କୁଳାୟ ରଚନା କରିବ

ବ୍ୟର୍ଥ ଏ କବି ଅପଲକେ ରହେ ଅନାଇ

ପକ୍ଷୀ ମିଥୁନ ଭିନ୍ନ ସୁରବା ଧରିବ ।

 

ସମୁଦ୍ରର ସ୍ଵାଦ

ପତନଉନ୍ମୁଖ ତୁଙ୍ଗ ପ୍ରସ୍ତର ଶ୍ରେଣୀର

ତଳେ

ଅକର୍ମଣ୍ୟ ବ୍ୟୂହ ଅନ୍ଧକାରେ

ସାଗର ତରଙ୍ଗ ଯହିଁ ମଥାପିଟେ

ଶିକର ଫୁତ୍କାରେ

ବାରମ୍ଵାର

ସାମୁଦ୍ରିକ ପକ୍ଷୀଦଳ ତହିଁ କରେ ମତ୍ସ୍ୟର ଶିକାର ।

ସନ୍ଧ୍ୟା ତହିଁ ଆସେ

ଦିକ୍ ନିର୍ଣ୍ଣୟ ଯନ୍ତ୍ରହୀନ ତରୀ ମୋର

ଲାଗେ ତାର ପାଶେ ।

ହନଲୁଲୁ ଉପକୂଳେ

ଶାର୍କ ଶିକାରୀ ନାବିକ ଦଳ ବାହି ପୋତ

ଭେଟି

ବିପରୀତ ଗାମୀ ଏକ ସାଗରିକ ସ୍ରୋତ

ସମୁଦ୍ର ସମାଧି ରଚିଥିଲା ।

ଧୌତ ତରଙ୍ଗରେ ନୀତ ଓ ଜୀବନ ଲୀଳ

ଛିନ୍ନ ତରୀ କରିଣ ଆଶ୍ରୟ

ତେଣୁ ଜାଗେ ପରମ ବିସ୍ମୟ ।

ଆପଣାର ଅଶ୍ରୁ ଆଜି

ସମୁଦ୍ରର ସ୍ଵାଦ ଦିଏ ମତେ

ଅକ୍ଟୋପସ୍‌ର ଫସିଲରେ କଣ୍ଟକିତ ପଥେ ।

ଢେଉର ମସୂଣ ଶଯ୍ୟାତଳେ

ଜାଗରଣହୀନ ନିଦ୍ରା ମାଗେଁ ଅବିରଳେ ।

ପ୍ରବାଳର ପୁଷ୍ପତଳେ

କଙ୍କାଳ ମୋ ହେଉ ମଣିପ୍ରସୂ

ଶିଉଳିର ନୀଳ ଶ୍ୟାମ ସମାରୋହେ ହସୁ

ଅସମାପ୍ତ ମୋର ଏ କାମନା;

ସାଗରିକ ପ୍ରାଣୀ ଅଙ୍ଗ ଭୌତିକ ଆଲୋକେ

ଅମର ଦୀପନା

ହେଉ ରୋମାଞ୍ଚିତ

ଏ ତ ମୃତ୍ୟୁ ! ଅମର ବାଞ୍ଛିତ ।

ତାଳ ଶାଖା ପୁଞ୍ଜିଭୂତ ଦ୍ଵୀପ କାହିଁ

ଇକ୍ଷୁ କ୍ଷେତ୍ର ଫସଲେ ଉର୍ବରା

ପଣ୍ୟବାହୀ ପୋତ ଶ୍ରେଣୀ କାହିଁ ଆଉ

କାହିଁ ସୀମିତ ଏ ଧରା !

ବିରାଟ ଆଶାର ସବୁ ଭଗ୍ନ ଅଂଶ

ଚୂର୍ଣ୍ଣିତ ଢେଉରେ

ଫେନପୁଞ୍ଜ ସମ ଭାସେ ଦୂରେ ବହୁଦୂରେ ।

ଥକିତ ଗଲାଣି ବାହୁ

ନାହିଁ ଦିଶେ ଆଉ

ବନ୍ଦରର ରେଖା,

ଦକ୍ଷିଣ ଧ୍ରୁବର ନୀଳ ସ୍ତିମିତ ଆଲୋକେ

ଆଉ ପଥ ଦେଖା

ଲାଗେ ଅସଂଭବ ।

ଲବଣାକ୍ତ ଏ ଜୀବନ

କର ପ୍ରଭୁ ।

ସ୍ଵଚ୍ଛ ଓ ଲାଘବ ।

 

ସାଧବ ଝିଅର ଗୋଟିଏ କଥା

(ପୁଷ୍ପ ପାଇଁ)

।୧।

ଶୁଣ ଲୋ

ଝିଅ ମୋ

 

କହିବି ମୁଁ ତତେ ଗୋଟିଏ କଥା

ସାଧବ ଘରର

ସାତ ବୋହୂ; ଖାଲି

 

ଗୋଟିଏ ଝିଅ । ନାଁ, କନକଲତା ।

ସାଧବ ବୁଢ଼ାର

ଗେଲବସର ସେ

 

ନାତୁଣୀରେ ତାର ସରଧା ଭାରି

ବଣିଜରେ ଗଲେ

ସାଧବ ନିଏ ତା-

 

ସାଥିରେ ତାହାକୁ ଦରିଆ ପାରି ।

ଶୁଣ ଲୋ ଝିଅ ମୋ !

ଶୋଇ ପଡ଼ୁଛୁକି ?

 

ଶୋଇଲେ କହିବି ନାହିଁ ମୁଁ କଥା ।

ବୋଇତରେ ବସି

ଦରିଆର ପାରି

 

ଦିନେ ଗଲା ଚାଲି କନକଲତା ।

 

 

 

।୨।

ଜାପାନୀ ସାଗର

ଉପକୂଳୁଁ ଦୂରେ

 

ବୋଝାଇ ବୋଇତ ସେଦିନ ଭାସେ

ଦୂର ଦ୍ଵୀପ ଖେତୁଁ

ଲବଙ୍ଗ ଫୁଲ

 

ଗନ୍ଧ ପବନ ଆଣଇ ପାଶେ ।

ନୀଳ ଲହରୀର

ଫେନ ପୁଞ୍ଜରେ

 

ବୁଡ଼ିଗଲା ଧୀରେ ରବିର ତରୀ

ସନ୍ଧ୍ୟା ଆସିଲା

ନୀଳ ମେଘି ପାଟେ

 

ଘୋଡ଼ାଇ ଆକାଶ ଯତନ କରି ।

ସପ୍ତମୀ ତିଥି

ଚନ୍ଦ୍ର ଉଇଁଲା

 

ମେଘର ଉଢ଼ାଳେ ଲୁଚାଇ ମଥା

ଅଜା କହୁଥିଲା

ସାକ୍ଷୀ ଗୋପାଳ-

 

ଗପ, ଶୁଣୁଥିଲା କନକଲତା ।

 

 

।୩।

ବୋଇତର ବୁଢ଼ା

ଖଲାସି ଆସିଣ

 

ସଲାମ ଜଣାଏ ସାଧବ ଆଗେ;

ହୋୟାଂହୋ ନଦୀ

ମୁହାଣ ଆଗର

 

ବନ୍ଦରେ ଆସି ବୋଇତ ଲାଗେ ।

ଚନ୍ଦ୍ରରେ ଦିଶେ

ଆଲୋକ ପରିଧି

 

ଝଡ଼ ଆସିପାରେ ରାତ୍ରିବେଳେ

ନଙ୍ଗର ଦେବି

ନଦୀ ମୁହାଣରେ

 

ସକାଳର ଯାଏ ହୁକୁମ ହେଲେ ।

ବୁଢ଼ା ମାଝି ସିଏ

ବଙ୍ଗ ସାଗରେ

 

କେତେ ଝଡ଼ ତା ଛୁଇଁଛି ମଥା

ସାକ୍ଷୀ ଗୋପାଳ

ଅଶୁଣା ରହିଲା

 

ଚକିତେ ଚାହିଁଲା କନକଲତା

 

 

।୪।

ପିକା ଟାଣି, ପାଟି

କଣେ କୁଣ୍ତଳୀ-

 

ଧୂଆଁ ଛାଡ଼ି ହସେ ସାଧବ ଧୀରେ

ଅକ୍‌କଲ ନାହିଁ

ବୁଢ଼ା ଖଲାସିର

 

ବୁଢ଼ା ବେଳେ ଡର ଛାଡ଼ିନି କିରେ !

ଚାଲଇ ବୋଇତ,

ଦିଗ ରେଖା ଭେଦି

 

ନୀଳ ଜଳରାଶି କଚାଡ଼ି ହୁଏ

ସାଗର ସ୍ନାନକି

ସପ୍ତର୍ଷି ତାରା

 

କରିନିଏ, ନଭ ଲହରୀ ଛୁଏଁ ।

ଚନ୍ଦ୍ର ନିଭିଲା

ସ୍ତୂପ ମେଘ ମେଳେ

 

ଆଲୁଅର ଆଉ ନମିଳେ ପତା

ସାଧବର କୋଳେ

ଅନାଇ ବସିଲା

 

ଘୁଂଚି ଅଳପ କନକଲତା ।

 

 

।୫।

ପ୍ରଳୟ ଶଙ୍ଖ

ବାଜିଲା ଆକାଶେ

 

ମେଘେ ଚମକଇ ବିଜୁଳି ରେଖା

ଉର୍ମି ଉପରେ

ଉର୍ମି ଉଠଇ

 

ତଟଭୂମି ନାହିଁ ଯାଏ ତ ଦେଖା ।

ସହସ୍ର ଫଣା

ଟେକି ଫୁଫୁକାରେ

 

କାଳ ନାଗୁଣୀକି ଆସଇ ଧାଇଁ

ଚାରିଆଡ଼ୁ ଘେରି

ସାଧବ ବୁଢ଼ାର

 

ବଣିଜ ତରୀକି ଗ୍ରାସିବା ପାଇଁ ।

ବୃଷ୍ଟି ଆସିଲା

ଘୋଟେ ଅନ୍ଧାର

 

ସୃଷ୍ଟି ଶେଷର ରାତ୍ରି ଯଥା

ସାଧବର କୋଳେ

ଆଉଜି ବସିଣ

 

ନାଇ ରହିଛି କନକଲତା ।

 

 

।୬।

ଗର୍ଜେ ସାଗର

ଭୀଷଣ ରୋଷରେ

 

ଉବାଇ ଟୁବାଇ ବୋଇତ ହୁଏ

ପାହାଡ଼ର ସମ

ଲହଡ଼ା ଲହସି

 

ଉଚ୍ଚେ ଆକାଶ ମେଘକୁ ଛୁଏଁ ।

କେରୁଆଲ ଛାଡ଼ି

ପାଲ ଖୋଲିଦେଇ

 

ନଙ୍ଗର ମାଝୀ ପକାଏ ପାଖେ

“ଜୟ ଚକାଡୋଳା

ପତିତ ପାବନ”,

 

ଶିରେ ହାତଯୋଡ଼ି ସାଧବ ଡାକେ ।

ଛୋଟ ହାତ ଟେକି

“ଜୟ ଚକାଡୋଳା”

 

କହି ନୁଆଇଲା ତଳକୁ ମଥା

ବିଦେଶୀ ସାଗରେ

ତୋଫାନର ତୁଲେ

 

ସେଦିନ ପ୍ରଥମେ କନକଲତା ।

 

 

।୭।

କନକ ପଚାରେ

ଗୁଡ଼ୁମ୍ ଗୁଡୁମ୍

 

ଶୁଭେ କିସ ଅଯା ଦୂରେ ସିଆଡ଼େ ?

“ଆମ ପରି କେଉଁ

ବୋଇତ ବିପଦେ

 

ସାହାଯ୍ୟ ମାଗି କମାଣ ଛାଡ଼େ ।

ନଙ୍ଗର ନାହିଁ

ମାନଇ ବୋଇତ

 

କାହିଁ ବୁଢ଼ା ମାଝି ଖଲାସି କାହିଁ ?”

ସାଧବ କହିଲା,

“କନକ! ଏଇଠି

 

ବ’ସି ଥା, କୁଆଡ଼େ ଯିବୁତୁ ନାହିଁ ।

ବୋଇତ ମଙ୍ଗ

ସଳଖାଇ ଦେଇ

 

ଫେରିଆସୁଛି ମୁଁ ।” ହଲାଇ ମଥା-

ହଁଅ ଭରି ଏକା

ସୁନା ଝିଅ ପିର

 

ନଡରି ବସିଲା କନକଲତା ।

 

 

।୮।

ସହସା ବୋଇତ

ପିଟି ହୋଇଗଲା

 

ସାଗରର ଲୁଚା ପାହାଡ଼ ପରେ

ଭାଜିଲା ମଙ୍ଗ

ଗଦ ଗଦ ହୋଇ

 

ଚାରିଆଡ଼ୁ ପାଣି ବୋଇତେ ଝରେ ।

“ବୋଇତ ବୁଡ଼ୁଛି

ଚଞ୍ଚଳ ଆସ”

 

ଖଲାସି କେ କହେ ଆସିଣ ଧାଇଁ

“ନଉକା ଫିଟିଲା”

କନକ କହିଲା,

 

“ଥାନ ଛାଡ଼ିବାକୁ ହୁକୁମ ନାହିଁ ।”

ପଳାଏ ଖଲାସି

ଜୀବନ ବିକଳେ

 

ବେଳନାହିଁ ଆଉ ଶୁଣିବ କଥା ।

ଅଯାର ଫେରିବା

ପାଇଁ ଥିର ମନେ

 

ବସି ରହେ ଏକା କନକଲତା ।

 

 

।୯।

ଉଚ୍ଚେ ଗରଜି

ଆସିଣ ଲହଡ଼ା

 

କନକ ଲତାର ପାଦରେ ଛୁଏଁ

ବୁଡ଼ୁଛି ବୋଇତ

ତଥାପି କନକ

 

ଟିକିଏ ହେଲେବି ଅଥିର ନୁହେଁ ।

ଆସିବ ତ ଅଯା !

କାହିଁ ଅଯା ଆଉ

 

ମଙ୍ଗ ସାଥିରେ ଗଲାଣି ଭାସି

ବାହାକୁ ବାହାତ

ଦିଶୁ ନାହିଁ, ଆଉ

 

କିଏ ଦେବ ଏଇ ଖବର ଆସ

ବଜ୍ର ବାଜିଲା

ହଠାତ୍ ଆକାଶେ

 

ଉଠିଲା ଉର୍ମି ପ୍ରଳୟ ଯଥା

ବୁଡିଲା ବୋଇତ

ଅଥଳ ଜଳରେ

 

ବୁଡ଼ିଗଲା ଆହା କନକଲତା ।

 

 

 

।୧୦।

ଜାପାନୀ ସାଗର

ଉତ୍ତର ଦିଗେ

 

ତୁଷାରିତ ମେରୁ ସାଗର କୂଳେ

ମତ୍ସ୍ୟ ଶିକାରୀ

ନାବିକ ଦେଖିଲା

 

ସାଗର ପରୀକି ଶୋଇଛି ଭୁଲେ ।

ନିକଟେ ଦେଖିଲା

ଛୋଟ ଝିଅଟିଏ

 

ମଲାପରି ନାହିଁ ଯାଏତ ଜଣା

ଆଖି କଣେ ଜମି

ତୁଷାର ହୋଇଛି

 

ଦୁଇଟି ଲଳିତ ଲୋତକ କଣା ।

ତୁଷାରରେ ସାଜି

ଦେଲେ ତା କବର

 

ଚିନା ନାଉରୀ ସେ । ସଇଲା କଥା

ଶୁଣିଲୁ ତ ଝିଅ !

କଥା ରହିଗଲା

 

ଚାଲିଗଲା ସିନା କନକ ଲତା ।

 

ନୂତନ ଫସଲର ଅଭିନନ୍ଦନ

ଶତାବ୍ଦୀର ସନ୍ଧିକ୍ଷଣ, ନିଶାନ୍ତର ନିଷ୍ଫଳ ଯୋଜନା ଲାଗେ ।

ଶିଶୁ ଫସଲର କ୍ଷେତେ ପଙ୍ଗପାଳ କରେ କୁମନ୍ତ୍ରଣା ।

ମୁହୂତ୍ତର ଶିଥିଳ ନିଦ୍ରାରେ

ବିଷାକ୍ତ କରନା ତୁମେ ଲକ୍ଷ ଜୀବନର ଉନ୍ମୁକ୍ତ ଉତ୍ସବ

ଏ ଲଜ୍ଜା ସହନା ତୁମେ !

ଜାଗୁ ତୁମେ ପ୍ରିୟ !

ପୁର ଉପକଣ୍ଠେ ଆଜି ବନଭୂମି ସରଳ ସବୁଜ

ଶ୍ୟାମ ଶସ୍ୟ କିଆରୀରେ ଶ୍ରାବଣର ଲାଗେ ବେଉଷଣ

ମାଟିରେ କର୍ଷଣ ଗନ୍ଧ । ଆକାଶରେ ଶଙ୍ଖଚିଲ, ଛାୟା

ନଦୀଚର ସରବଣ ଶିରେ କରେ ଆରୋହଣ ।

ନୂତନ ଏ ଶତାବ୍ଦୀର ପ୍ରଥମ ଲଗ୍ନରେ

ଗତାୟୁ ରାତ୍ରିର ସ୍ଵପ୍ନ ଶିଥିଳ ନୟନ ମେଲି ଚାହଁ ପ୍ରିୟ !

ସାମାନ୍ୟ ଅବହେଳାର କୁଟୀଳ ଚକ୍ରାନ୍ତ ଧାରା

ଯୁଗ ଯୁଗାନ୍ତର ଧରି ଆମନ୍ତ୍ରିବ ଦୁଷ୍ଟ ଅଭିଶାପ

ଏ ଲଜ୍ଜା ସହନା ତୁମେ !

ଜାଗ ତୁମେ ପ୍ରିୟ

ସ୍ଵର୍ଣ୍ଣ ଯୁଗ ପୁରାତନୀ ଆଦିମ ପୃଥିବୀ

ଆଜି ଯେ ଆସିଛି ଫେରି

ସେ ତମାଳ ତାଳି ବନ

ଆହା ବନରାଜି ନୀଳା

ଦିବସ ପ୍ରାନ୍ତେ ଆଣିବ ବିଶ୍ରାମ ନିମେଷ

ବନଚାରୀ ଚନ୍ଦ୍ର ଯେବେ ରଜନୀ କୁନ୍ତଳେ

ଖୋଷିଦେବ ଲକ୍ଷ ଶତ ନିଶିଗନ୍ଧା ଫୁଲ ।

ଜାଗ ତୁମେ ପ୍ରିୟ ।

ବିଦ୍ରୂପ ବିଷାଣ ହାଣି ଜରାକରେ ଏ ମୁହୂର୍ତ୍ତ ବିକଳ ଜର୍ଜର,

ତୁମରି ଏ ନିଷ୍ଫଳ ଶୟନେ

କଳଙ୍କିତ କରନାହିଁ ଅନାଗତ ଶତ ବିକାଶ ଆକାଂକ୍ଷା

ହେମନ୍ତର ଗହୀର ପାଟରେ

ଆଗାମୀର ସ୍ଵର୍ଣ୍ଣ ଧାନ୍ୟ ସମ୍ଭାରରେ ତୁମଲାଗି ରଚେ ପ୍ରଦର୍ଶନୀ

ରଜସ୍ଵଳା ମାଟି

ତୁମଲାଗି ରଚେ ମଧୁଶେଯ ।

 

ରାତ୍ରି

ରାତ୍ରି ଆସେ

ଅୟୁତ ଯୁଗର ରାତ୍ରି

ଭଲଗା ନଦ ମୁହାଣର ଜମାଟ ଅନ୍ଧାରେ

ବିପର୍ଯ୍ୟସ୍ତ ଟାଇଫୁନ୍

ଆଉ

ମିଶରର ପୀରାମିଡ଼ ଶିରେ

ଶୁକ୍ର ତାରାର

ନିଶଙ୍କ ଇଙ୍ଗିତ ।

ରାତ୍ରି ଆସେ ।

ଉପକୂଳେ ନିଉଜିଲାଣ୍ତର

ତିମିର ଶିକାରୀ ନାବିକ

ଫେରିଆସେ ।

ଗୁର୍ଖା ସିପାହୀର

ସଙ୍ଗୀନ୍ ଚୋଟ୍ ପରି

ଢ଼େଉର ଚାବୁକ୍

ନୌକା ମଙ୍ଗେ ବାଜେ ।

ଆଉ ଏକ ରାତ୍ରି

କଙ୍ଗୋର ଅସଭ୍ୟ ବର୍ବର ଆଦିମ ରାତ୍ରି

ଜଳଗର୍ତ୍ତ ପାଶେ

ତୃଷାର୍ତ ଗରିଲା

ଦୂରେ

ନର ଖାଦକ ଦଳର

ଉତ୍ସବ ଅଭିଯାନ,

ଲାଲ ମଶାଲର ସଙ୍କେତ,

ମଦ୍ୟ ଓ ମାଦଳ ।

ରାତ୍ରି ଆସେ ।

ଆଉ ରାତ୍ରି ଆସେ

ଏ ବସ୍ତର ଗଣିକା ଭବନେ

ଅସଂଖ୍ୟ ପଙ୍ଗପାଳର

ଅଗ୍ନି ସ୍ନାନ ଯୋଗ ।

ପିଚୁ ରାସ୍ତାପାଶେ

କ୍ଷୟକାଶ ପଙ୍ଗୁ ଭିକ୍ଷାଜୀବୀ ।

ଡଷ୍ଟବିନ୍ ।

ପାର୍ଶ୍ଵେ ଛୁଟିଚାଲେ,

ଐଶ୍ଵର୍ଯ୍ୟର ମାୟା ପଦ୍ମେ ମଧୁଲୁବ୍‌ଧ ମଧୁ ମକ୍ଷିକାର

ହିଂସ୍ର କଳରବ ।

ବିଷ ତୀକ୍ଷ୍‌ଣ ସ୍ଵାର୍ଥବୋଧର

ବିକଟ ପରୀକ୍ଷା ।

ରାତ୍ରି ଆସେ ।

ରାତ୍ରି ଆସେ ଆଉମଧ୍ୟ

ମଧ୍ୟବିତ କୁଟୀରର କୋଣେ

କେରୋସିନୀ ପ୍ରଦୀପର

ପାଣ୍ତୁର ଆଲୋକେ

ଖାଦ୍ୟପ୍ରାଣ ଅଭାବର ଅନୁପୁଷ୍ଟ ଅଙ୍ଗ ମେଲି ଦେଇ

ଗୃହିଣୀ ଚଳାଏ ତାର

ନିସଙ୍କୋଚ ତମିସ୍ର ବିଳାସ ।

ଭାବୀ ଯୁଗ

ପ୍ରଜନନ ଚାଲେ…….

ରାତ୍ରିଆସେ ।

ରାତ୍ରିଆସେ ।

 

ସ୍ଵପ୍ନ ଚାରିକା

।୧ସ୍ଵପ୍ନ।

ଆକାଶ ଦୋଳକେ ଦୋଳେ ସ୍ଵପ୍ନର ଇସାରା

ନୀଳ ସୀମନ୍ତକ ମଣି ପୁନର୍ବସୁ ତାରା

ନିଭିଆସେ ଧୀରେ

ସମାରୋହ ଅରଣ୍ୟର ସ୍ନେହଛାୟେ

ସାଗରର ପୁଷ୍ପବତୀ ତୀରେ ।

ଦୀପାଧାରେ ସଳିତାର ସମ

ଘୁମନ୍ତ ରାତ୍ରିର ଯାମ ନିଃଶେଷ ହୁଅଇ

କରି ଅତିକ୍ରମ

ଗୁଡ଼କଙ୍କ ନଦୀ ମୁହାଣରେ ପୁନ

ପୁରାତନୀ ପୃଥିବୀର ବିରହ ପ୍ରସଙ୍ଗ ଲେଉଟାଏ

ରଥାଙ୍ଗ ମିଥୁନ ।

ଅବିଶ୍ରାନ୍ତ ଇଚ୍ଛୁକ ଏ ମନ

କାର ପ୍ରେମ ଦ୍ଵନ୍ଦ ଚାହେଁ ?.........

କେଉଁ ଦୂର ଶତାବ୍ଦୀର ପାରେ ରଚିଛି ଶୟନ

ଅପ ଦେବତାର ଶାପେ

ଗିରି ଗର୍ଭ ଗହ୍ଵର ବନ୍ଦିନୀ

ସେ ଯେ ଏକ ରାଜାର ନନ୍ଦିନୀ ।

ସର୍ପରେ ତା ବେଣୀ ବନ୍ଧା

ପୀନସ୍ତନା ପୃଥିଳ ଜଘନା

ମୁଦ୍ରିତ ନୟନ ପକ୍ଷେ ନିଶାଚରୀ କିଏ

କରେ ଦୁଷ୍ଟ ସ୍ଵପ୍ନର ରଚନା-

ତାର ପ୍ରେମେ ମନ ଅବାଂଛିତ !!

ରୋମାଞ୍ଚିତ ରାତ୍ରିର ମୁକୁଟେ

ପକ୍ଷୀରାଜ ଘୋଟକ ଖୁରାର

ଶବ୍ଦ ଶୁଣେଁ ।

ଶୁଣ ଶବ୍ଦ ଉଠେ !!

।୨ ଇଙ୍ଗିତ।

ତୁମେ ଆସିଥିଲ ରାତ୍ରିର ନୀଳ ଅୟନେ

ନିଦ ରଞ୍ଜିତ ଢୁଳୁ ଢୁଳୁ ଭୀରୁ ନୟନେ,

ପଡ଼ୁଥିଲା ଫିଟି କ୍ଷୀଣ କଟୀ ଛାଡ଼ି

ଯମୁନା କିନାରୀ ଆସ୍‌ମାନୀ ଶାଢ଼ୀ

ତୁମେ ଆସିଥିଲ ଅବହେଳି ହାୟ

ଶୀତ ରାତ୍ରିର ଶୟନେ

ଶୋଭନା ହାତର ଚୂଡ଼ି ନିକ୍ଵଣ ଶୁଭିଥିଲା

ବାୟୁ ଅଳସିତ ହୋଇଥିଲା

ତୁମରି ପଣତ ଗନ୍ଧେ

ମୋର କାମନା କାକଳୀ ଗାଇଥିଲା ଅଭିସାର ଲୀଳା

ଦୀପାୟିତ ନବ ଛନ୍ଦେ ।

ତୁମ ନଗ୍ନ ଦେହର ପରଶରେ

ଦେହମୟ ଚଞ୍ଚଳ ହୋଇଥିଲା

ବନଚାରୀ ଚନ୍ଦ୍ରର ଗାଲ ପୋଛି

ଅରଣ୍ୟ ଧୀରେ ଲେଉଟାଇ ଯେବେ

ଶ୍ୟାମ ଅଂଚଳ ନେଇଥିଲା ।

ତୁମେତ ଫେରିନ ।

ମେଘ ଲାଂଛିତ ତାରାପରି

ନିଭିଲ ସହସା ଚିତ୍ତ ଚକିତ ଢେଉ ତଳେ ।

ଅନୁରାଧା !

ତୁମେ ପ୍ରାଣ ପଦ୍ମରେ ଥାପିତ ମୋ ଅବିରଳେ ।

।୩ ଚିହ୍ନ।

ନିଶାନ୍ତର ନୀଳ କଇଁ

ସରୋବର ସମାନ୍ତ ତନୁରେ

ସ୍ଵପ୍ନଭଙ୍ଗ ବ୍ୟଥା ଲେଖେ ପ୍ରିୟ !

କମନୀୟ

ପ୍ରଭାତର ସ୍ଵାସ୍ଥ୍ୟବତୀ ଲଳିତ ଆଲୋକେ

ପ୍ରତିବାଦ ଜଣାଏ ସେ

ଅଭିଶାପ ନାହିଁ ଆଉ ଦିଅ ।

ତୁରଙ୍ଗ ମୋ ଶ୍ରାନ୍ତ ଅତି,

ଅକ୍ଷମ ମୋ କରତଳୁ ଖସେ

ବଲଗା ରଜ୍‌ଜୁ ।

କାଳନେମୀ ନିଷେଧିତ କକ୍ଷୁ

ଖଣ୍ତିତ ମାୟାମସ୍ତକ ହଠାତ୍ ହସେ

ସେକି ହସ !

ହଠାତ୍ ହସ ଉଠେ ।

କାନ୍ଦେ ଦୂରେ ରାଣୀମାତା

ସାଙ୍କେତିକ ତୁଳସୀ ମଉଳେ

ସପନ ଚାରିକା ଦୂତୀ କାହିଁ ?

କାହିଁ ରାଜାର ଦୁଲାଳ ?

ଅଗ୍ନି ବ୍ୟୂହ ରଚା ଦୂରେ

ଅଗନାଗ୍ନି ଅରଣ୍ୟର କୂଳେ ।

ସ୍ଵପ୍ନ ଭାଜେ ।

ସ୍ଵର୍ଣ୍ଣ ମୃଗ ହଜେ ସଂଧାନରୁ

ଧାଏଁ ଦୂରତର;

ଅବ୍ୟର୍ଥ ଲକ୍ଷ୍ୟ ମୁଁ ମାଗେଁ

ମାଗେଁ ପ୍ରଭୁ ! ମନ ଭେଦୀ ଶର !!

 

ମେଘ ସଂଚାର

ନବ ଆଷାଢ଼ର ହେ ନୀଳିମ ସ୍ତୂପ ମେଘ !

ମାଟିର ମଳିନ ରଙ୍ଗେ ଗୋଳାଇ ପୀତାଭ ଆକାଶ ଛାୟା

ଶୂନ୍ୟ ଫସଲ ନୀଳ କିଆରୀର ଧାରେ

ଅଲିଭ ଓ ତୁଁ ତ ବନର ସୀମାନା ପାରେ

ଆଜି ଆସିଛକି ଦିଗନ୍ତେ ମେଲି ତୁମରି ଉତ୍ତରୀୟ

ପ୍ରିୟ,

ହେ ନୀଳିମ ସ୍ତୂପ ମେଘ !

ଶସ୍ୟହୀନ ଏ କଙ୍କରଭୂମି । କୁଶ କଣ୍ଟକ ପଥେ

ତୃଷିତ କଂଠ ଯାଯାବର ମୁହିଁ ଫେରେଁ

ରୁଦ୍ଧ କପାଟ ପାନଶାଳା ଦ୍ଵାରେ ଦ୍ଵାରେ ।

ଆଦିମ ଅବ୍ଦୁ ତୁମରି ପ୍ରେମରେ ମୁହିଁ ଏକ ଜାତିସୁର

ଭୁଲିପାରିନି ତ ସଜୀବ ସ୍ଵପ୍ନ ଜାଲ ।

ତୁମେତ ଦେଖିଛ ସିପ୍ରାର ତଟେ

ନୀଳ ମେଘଭୁରୁ ବାସବଦତ୍ତା ସାଥେ

କେତେ ରୋମାଂଚ

ଉଗ୍ର ମଧୁର ଅଳସ ଆଲିଂଗନ

ନାରଙ୍ଗ ନଭ, ଚପଳା ଆଲୋକେ ପରସ୍ପରର ହାସ,

ସ୍ଖଳିତ ବସନା ପ୍ରଗଳ୍‌ଭା ପ୍ରିୟା ଦେହ

ପ୍ରିୟ !

ହେ ନୀଳିମ ସ୍ତୂପ ମେଘ !

ଆଜି ନାହିଁ ପାଶେ ଅବଗୁଣ୍ଠିତା ପ୍ରିୟା

ହରିତ ଗୋଲାପ ନାହିଁ ଫୁଟେ ବନେ ବନେ

ଆନର ଶୟନେ ଅଭିସାରିକାର ଅଙ୍ଗବସନ ଖସେ…!!

ଆଜି ମୋର ଏଇ ରକ୍ତ ଲୋହିତ ଦିନ

ଝଡର ଲଗ୍ନ: ପୃଥିବୀ ଅର୍ବାଚୀନ :

ଚିରାୟୁଷ୍ମତୀ ନଦୀର ଶଯ୍ୟା ବାଲୁଚରେ ଆଜି ଲୀନ

ଯାଯାବର ମୁହିଁ ବୁଲେ ।

ବୈଦେହୀ ମନେ ନୀଳ ବହ୍ନିର ସମ

ଜଳଇ ତୃଷାର ଦୀପ୍ତି ମରଣଭୀତା ।

ରାତ୍ରି ମୂଦୁଳ ତୀରେ

ସମାପ୍ତି ତାର ଅଛି କିବା ତୁମେ କହ ।

ପ୍ରିୟ !

ହେ ନୀଳିମ ସ୍ତୂପ ମେଘ ।

ନିର୍ବାସିତ ମୋ ମନ ମନ୍ଦିର ତଳେ

ନୂତନ କାମନା ଚଳିଷ୍ଣୁ ଶିଖା ତୋଳେ

ଧୂମ ଧୂସର ସ୍ତବ୍‌ଧ ବେଦନା ଘାତେ ।

ଏଇ ସଂବାଦ ନିଅ ତୁମେ ଆଜି ତୁମରି ପକ୍ଷପୁଟେ

ବ୍ୟଭିଚାରିଣୀ ସେ ସୈରିନ୍ଧ୍ରୀ ବାତାୟନେ,

ବାମକରେ ଆଜି ତୋଳି ମୁଁ ପିଇବି ଫେନମିଶ୍ରିତ ସୁରା

ରକ୍ତ ଗୋଲାପ ନେବି ଦକ୍ଷିଣ କରେ

ତାହାପରେ ସେଇ ପାନ ପାତ୍ରରେ ନିକ୍ଷେପ କରି ଦୂରେ

ଗୋଲାପ ଗନ୍ଧ ଦଳିବି ଚରଣ ତଳେ ।

ଏଇ ଚାଲବାଜ ଶ୍ଵାପଦ ସଂଘ ବୈଷ୍ଣବୀ ଆଖଡ଼ାରେ

ନବ ମେଘଦୂତ ରଚନା ହୁଏକି କହ

ପ୍ରିୟ !

ହେ ନୀଳିମ ସ୍ତୂପ ମେଘ ।

ତୁମେ ଆଣ ଝଡ଼ ଦଗ୍‌ଧ ବନର ଶିରେ

ମୃତ ବନ୍ଦର ଏକାନ୍ତ ସୀମାନାରେ

ଧୂମପିଙ୍ଗଳ ସର୍ପିଳ ଆକାଶରେ,

ଝଡ଼ର ରୋଳେ ମୁଁ ଦେବି ଆଜି କରତାଳି

ବଜାଅ ବଜ୍ରଭେରୀ

ଉଡ଼ାଅ ତୁମରି ଧୂଳି ରଙ୍ଗୀନ ବିଜୁଳି ଉତ୍ତରୀୟ

ପ୍ରିୟ ।

ହେ ନୀଳିମ ସ୍ତୂପ ମେଘ ।

Binod Chandra Naik is incorrigibly a romantic. He is inces’cently experimenting on verse pattern.

(Current Indian Literature)